
ନୂଆଦିଲ୍ଲୀ : ବର୍ତ୍ତମାନ ସୁଦ୍ଧା ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ କୌଣସି ଫଳପ୍ରଦ ସାର୍ବଜନୀନ ଟିକା ଉପଲବ୍ଧ ହୋଇ ପାରିନଥିବା ବେଳେ ସେହିଭଳି କୌଣସି ପ୍ରମାଣସିଦ୍ଧ ଉପଚାର ପଦ୍ଧତି ମଧ୍ୟ ବାହାରିପାରିନାହିଁ। ତେଣୁ ଏଭଳି ସ୍ଥିତିରେ ଅନନ୍ୟୋପାୟ ହୋଇ ପୀଡ଼ିତ ଓ ଚିକିତ୍ସକମାନେ ବିକଳ୍ପ ଉପଚାର ପ୍ରକ୍ରିୟାକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ଏହି କ୍ରମରେ ଅନ୍ୟାନ୍ୟ ଭୂତାଣୁ ବିରୋଧୀ ଔଷଧ ସେବନ ଅପେକ୍ଷା ପ୍ଲାଜ୍ମା ଚିକିତ୍ସାକୁ ଅନେକ ବରଦାନ ବୋଲି ଭାବୁଛନ୍ତି। ମାତ୍ର ଭାରତରେ ଏ ପ୍ରକାର ପ୍ଲାଜ୍ମା ଚିକିତ୍ସା ସେତେ ଫଳପ୍ରଦ ହେଉନାହିଁ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି।
ଏହି ଅଭିନବ ଚିକିତ୍ସା ପଦ୍ଧତିରେ କୋଭିଡ୍ରୁ ଆରୋଗ୍ୟଲାଭ କରିଥିବା ଜଣେ ପୀଡ଼ିତଙ୍କ ରକ୍ତର ପ୍ଲାଜ୍ମା ସଂଗ୍ରହ କରାଯାଇ ତାହାକୁ ଅନ୍ୟ ଜଣେ କରୋନାଭୂତାଣୁ ସଂକ୍ରମିତଙ୍କ ଶରୀରରେ ପ୍ରୟୋଗ କରାଯାଇଥାଏ। ଏହାଦ୍ବାରା ସଂପୃକ୍ତ ସଂକ୍ରମିତଙ୍କ ଶରୀରରେ ରୋଗପ୍ରତିରୋଧକତା ବୃଦ୍ଧି ପାଇବା ସହ ତାହା ଶରୀରରେ ଥିବା କରୋନାଭୂତାଣୁ ବୃଦ୍ଧିକୁ ରୋକିପାରିବ ବୋଲି ଆଶା କରାଯାଉଛି। ତେବେ ବ୍ରିଟିସ ଭେଷଜ ପତ୍ରିକା(ବିଏମ୍ଜେ)ରେ ପ୍ରକାଶିତ ଏକ ସର୍ବେକ୍ଷଣର ତଥ୍ୟ ଭାରତରେ ସେଭଳି ଅନୁମାନକୁ ଭୁଲ ପ୍ରମାଣିତ କରିଛି।
ଗତ ଏପ୍ରିଲ ଓ ଜୁଲାଇ ମଧ୍ୟରେ ଭାରତୀୟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି ହୋଇଥିବା କୋଭିଡ୍ ରୋଗୀଙ୍କ ଭିତରୁ ୪୬୪ ଜଣ ବୟସ୍କ ରୋଗୀଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୩୯ ଜଣଙ୍କ ଶରୀରରେ ୨୪ ଘଣ୍ଟା ଅନ୍ତରରେ ୨୦୦ ମିଲି. ଲେଖାଏଁ ଦୁଇ ଥର ପ୍ଲାଜ୍ମା ଚଢ଼ାଯାଇଥିଲା। ଅପରପକ୍ଷେ, ୨୨୫ ଜଣ ରୋଗୀଙ୍କୁ ସାଧାରଣ ଚିକିତ୍ସା କରାଯାଇଥିଲା। ମାସକ ପରେ ପ୍ଲାଜ୍ମା ନେଇଥିବା ୪୪ ଜଣ ବା ୧୯ ପ୍ରତିଶତ ରୋଗୀଙ୍କ ସ୍ବାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଅପରପକ୍ଷେ, ପ୍ଲାଜ୍ମା ନେଇନଥିବା ରୋଗୀଙ୍କ ମଧ୍ୟରୁ ୪୧ ଜଣ ବା ୧୮ ପ୍ରତିଶତ ଅନୁରୂପ ସୁସ୍ଥତା ଦେଖାଇଥିଲେ। ଅବଶ୍ୟ ପ୍ଲାଜ୍ମା ଚିକିତ୍ସା ଆରମ୍ଭ ହେବାର ସାତ ଦିନ ପରେ ପୀଡ଼ିତଙ୍କ ଠାରେ କିଛି କୋଭିଡ୍ ଲକ୍ଷଣ ହ୍ରାସ ହୋଇଥିଲା। ତେବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାଯାଇଛି।
The post ସର୍ବେକ୍ଷଣ ରିପୋର୍ଟ : ଭାରତରେ ପ୍ଲାଜ୍ମା ଚିକିତ୍ସା କ୍ବଚିତ୍ ଫଳପ୍ରଦ first appeared on Sambad.
from କରୋନା – Sambad https://ift.tt/2G05av2
0 Comments