କଟକ : ଖୋଲା ଅଞ୍ଚଳ ରାସ୍ତା କଡ଼ରେ ପୋଡ଼ାହେଉଛି ପିପିଇ କିଟ୍‌। କୋଭିଡ୍‌ ମହାମାରୀ ସମୟରେ ସ˚କ୍ରମଣ ସମ୍ଭାବନା ଅଧିକ ରହୁଥିବାରୁ ପିପିଇ କିଟ୍‌କୁ ଜୈବ ବର୍ଜ୍ୟ ପରିଚାଳନା (ବାୟୋ ୱେଷ୍ଟ) ମାଧ୍ୟମରେ ନଷ୍ଟ କରାଯିବାକୁ ନିୟମ ରହିଛି। କିନ୍ତୁ ଖୋଲା ଆକାଶ ତଳେ କିଟ୍‌ ପୋଡ଼ାଯିବା କେତେଦୂର ଯଥାର୍ଥ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏ ଘଟଣା ହେଉଛି କଟକ ବଡ଼ ମେଡିକାଲ୍‌ ଶବ ସ˚ରକ୍ଷିତ ଗୃହ ସମ୍ମୁଖ ଅଞ୍ଚଳର। ଶନିବାର ସକାଳେ ରାସ୍ତା କଡ଼ରେ ପିପିଇ କିଟ୍‌ ପୋଡ଼ାଯାଉଥିବା ଦେଖିବାକୁ ମିଳିଥିଲାବେଳେ ସ୍ଥାନୀୟ କର୍ମଚାରୀଙ୍କୁ ଏବାବଦରେ ପଚରାଯାଇଥିଲେ ବି ସେମାନେ କିଛି କହି ନ ଥିଲେ। ତେବେ ମେଡିକାଲ୍‌ କତ୍ତୃର୍ପକ୍ଷ ଘଟଣା ବିଷୟରେ ଜାଣିବା ପରେ ସୋମବାର କାର୍ଯ୍ୟାଳୟ ଖୋଲିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସିଡିଏ ସ୍ଥିତ ଵିଣ୍ତସର‌୍‌ ପ୍ଲେସ୍‌ ପାଖ ରାସ୍ତା ଉପରେ ମଧ୍ୟ ପିପିଇ କିଟ୍‌ ଗଦା ହୋଇ ରହିବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ପୂର୍ବରୁ ବଡ଼ ମେଡିକାଲ୍‌ରେ କେବଳ ସାଧାରଣ ବର୍ଜ୍ୟ ଓ ଜୈବ ବର୍ଯ୍ୟକୁ ଅଲଗା କରି ନଷ୍ଟ କରାଯାଉଥିଲା। କିନ୍ତୁ କରୋନା ଆସିବା ପରଠୁ ସମସ୍ତ ପ୍ରକାର ବର୍ଜ୍ୟକୁ ଜୈବ ବର୍ଜ୍ୟ ଭାବେ ପରିଚାଳନା କରାଯାଉଛି। ତେଣୁ ଏକ ଘରୋଇ ସ˚ସ୍ଥାକୁ ବର୍ଜ୍ୟ ସ˚ଗ୍ରହ କରିବାକୁ ନିୟୋଜିତ କରାଯାଇଥିଲାବେଳେ ବିଭିନ୍ନ ବିଭାଗରେ ବର୍ଜ୍ୟ ଏକାଠି କରିବା ପାଇଁ ବଡ଼ ବିନ୍‌ ରଖାଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଅତୀତରେ ଆଇସୋଲେସନ୍‌ ଵାର୍ଡର ଭିଡିଓ ଭାଇରାଲ ଘଟଣା ବେଳେ ପିପିଇ କିଟ୍‌ ଵାର୍ଡ ବାରଣ୍ତାରେ ପଡୁଥିବା ଦେଖାଯାଇଥିଲାବେଳେ ଏବେ ଶବ ସ˚ରକ୍ଷିତ ଗୃହ ପାଖରେ ଖୋଲା ସ୍ଥାନରେ ପିପିଇ କିଟ୍‌ଗୁଡିକ ପୋଡ଼ାଯିବା ଘଟଣା କୋଭିଡ୍‌ ନିୟମର ପାଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ମେଡିକାଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଦିନକୁ ପାଖାପାଖି ୧୪୦୦ କିଲୋଗ୍ରାମର ଜୈବ ବର୍ଜ୍ୟ ବାହାରୁଛି। ସେଗୁଡ଼ିକୁ ଇନସୁଲେଟ୍‌ କରାଯାଇ ୮୦୦ ଡିଗ୍ରି ତାପମାତ୍ରାରେ ନଷ୍ଟ କରି ଦିଆଯାଉଛି। ତେବେ ଯେଉଁ ମେସିନ୍‌ରେ ଏହାର ପରିଚାଳନା କରାଯାଉଛି ତାହାର କ୍ଷମତା ୭୦୦ରୁ ୯୦୦ କିଲୋଗ୍ରାମ ପର୍ଯ୍ୟନ୍ତ। ତେଣୁ କ୍ଷମତା ବାହାରକୁ ବର୍ଜ୍ୟ ସ˚ଗ୍ରହ ହେଉଥିବାରୁ ଏହାର ପରିଚାଳନା ଠିକ୍‌ ଭାବେ ହୋଇପାରୁନଥିବା କୁହାଯାଉଛି। ତେବେ ଯେଉଁ କର୍ମଚାରୀମାନେ ଶବ ଆଣି ସ˚ରକ୍ଷିତ ଗୃହକୁ ଆଣୁଛନ୍ତି, ସେମାନେ ସେଠାରେ ପିପିଇ କିଟ୍‌ ଫିଙ୍ଗିଦେଇ ଆସୁଥିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ଆସିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଜଣାପଡ଼ିଛି। ତଥାପି ଏଘଟଣା ସ˚ପର୍କରେ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କୁ ଅବଗତ କରାଯିବା ପରେ ସେ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଛୁଟି ଥିବାରୁ ସୋମବାର କାର୍ଯ୍ୟାଳୟ ଖୋଲିଲେ ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯିବ ଓ ଅଭିଯୋଗରେ ସତ୍ୟତା ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

The post ଏସ୍‌ସିବି ଶବ ସ˚ରକ୍ଷଣ ଗୃହ ସାମ୍ନାରେ ପୋଡ଼ାଯାଉଛି ପିପିଇ କିଟ୍‌, ପୂର୍ବରୁ ଅଭିଯୋଗ ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ first appeared on Sambad.



from କରୋନା – Sambad https://ift.tt/347TWhp