
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ ମହାମାରୀ ସ୍ଥିତି ଏବଂ ଟିକା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାର ବିତରଣ ଏବଂ ବଣ୍ଟନ ପାଇଁ ଚାଲିଥିବା ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଦେଶର ସମସ୍ତ ଲୋକଙ୍କ ନିମନ୍ତେ ଟିକା ଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ଯୋଜନାବଦ୍ଧ ରଣନୀତିରେ କାମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ବାଚନ ଏବଂ ବିପର୍ଯ୍ୟୟ ପରିଚାଳନା ସମୟରେ ଯେଭଳି ତ୍ବରାନ୍ବିତ ପଦକ୍ଷେପ ନିଆଯାଇଥାଏ ସେଭଳି ଢଙ୍ଗରେ ଟିକା ପହଞ୍ଚାଇବା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବା ଆବଶ୍ୟକ। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଟିକା ଯେଭଳି ସୁରୁଖୁରୁରେ ପହଞ୍ଚିବ ସେଥିପାଇଁ ପ୍ରତ୍ୟେକଟି ପଦକ୍ଷେପକୁ ଭଲଭାବେ ପରୀକ୍ଷା କରିବାପାଇଁ ମୋଦୀ କହିଛନ୍ତି। ଟିକା ଡୋଜ୍ ପାଇଁ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭାରତରେ ପ୍ରସ୍ତୁତ ଟିକା କେବଳ ପଡ଼ୋଶୀ ରାଷ୍ଟ୍ରଙ୍କ ପାଇଁ ନୁହେଁ, ଏହା ପୂରା ବିଶ୍ବକୁ ଯୋଗାଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିତରଣ ବ୍ୟବସ୍ଥା ପାଇଁ ଆଇଟି ପ୍ଲାଟ୍ଫର୍ମ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେବାକୁ ହେବ ବୋଲି ମତଦେଇ ସେ କହିଛନ୍ତି ଯେ ଏ ଦିଗରେ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରାଯିବା ଆବଶ୍ୟକ।
କରୋନା ମୁକାବିଲା ମାମଲାରେ କୌଣସି ଆତ୍ମସନ୍ତୋଷ ନ ରଖିବାକୁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ମାମଲା କମୁଥିଲେ ମଧ୍ୟ ଆମକୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ଆତ୍ମସନ୍ତୋଷ ଆମକୁ ଭୁଲ୍ ବାଟରେ ନେଇଯାଇପାରେ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଏହାସହିତ ପାର୍ବଣ ଋତୁରେ ସମସ୍ତେ କୋଭିଡ୍ ନିୟମାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଲୋକମାନଙ୍କୁ କୋଭିଡ୍ ନିୟମାବଳି ମାନିବାପାଇଁ ଅନୁରୋଧ କରିଛନ୍ତି। ଟିକା ବଣ୍ଟନ ପ୍ରକ୍ରିୟାରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଏବଂ ନାଗରିକମାନଙ୍କୁ ସାମିଲ କରିବାକୁ ପ୍ରଧାନନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।
The post କୋଭିଡ୍ ସ୍ଥିତି ଓ ଟିକା ପ୍ରସ୍ତୁତି ସମୀକ୍ଷା କଲେ ମୋଦୀ : ନିର୍ବାଚନୀ ବ୍ୟବସ୍ଥା ଭଳି ତତ୍ପର ହୁଅ, ସଭିଙ୍କ ପାଖରେ ଟିକା ପହଞ୍ଚିବା ଜରୁରୀ first appeared on Sambad.
from କରୋନା – Sambad https://ift.tt/3o3a6Aw
0 Comments