ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୩ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୨୧୬ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୪୩ଜଣ ରୋଗୀ ଖୋର୍ଧା ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ରାଜଧାନୀରେ ସଂକ୍ରମଣ ହ୍ରାସ ଘଟିବା ଉପରେ ଖୋର୍ଧା ଜିଲ୍ଲାର ସଂକ୍ରମଣ ସଂପୂର୍ଣ୍ଣ ନିର୍ଭର କରୁଛି। ଚିହ୍ନଟ ୨୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ଜଣ ସଙ୍ଗରୋଧରୁ ଓ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ‌ଏଥିରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାର, ପ୍ରାଚୀ ଏନ‌କ୍ଲେଭ୍, ପୋଖରୀପୁଟ, ପାତ୍ରପଡ଼ା, ପୁରୁଣା ଭୁବନେଶ୍ବର, ନୀଳାଦ୍ରିବିହାର, ଝାରପଡ଼ା, ଡେଲଟା କଲୋନି ଆଦି ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୬,୯୯୫କୁ ବୃଦ୍ଧି ପାଇଛି। ତହିଁରୁ ୨୩,୮୩୦ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ୩୦୧୧ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ରାଜଧାନୀରେ ଆଜି ୨ଜଣ ପୁରୁଷ ଓ ୨ଜଣ ମହିଳା କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଛି। ଖୋର୍ଧା ଗ୍ରାମାଞ୍ଚଳରୁ ୫୮ଜଣ କରୋନାରେ ପ୍ରାଣ ହରାଇଛନ୍ତି।

କରୋନା ଯୋଦ୍ଧାଙ୍କ ମୃତ୍ୟୁ
ପୁରୁଣା ଭୁବନେଶ୍ୱର : ଦୀର୍ଘ ୨୫ ଦିନ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶ୍ରୀଲିଙ୍ଗରାଜ ଥାନାର ଏଏସ୍‌ଆଇ ବ୍ରଜକିଶୋର ଦଳେଇ ଶେଷରେ ହାରି ଯାଇଛନ୍ତି। କରୋନା ଯୋଦ୍ଧା ବ୍ରଜକିଶୋର କରୋନାରେ ପ୍ରାଣ ହରାଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଗତ ମାସ ୨୩ ତାରିଖରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତଦେହକୁ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ଓ କମିସନରେଟ୍ ପୁଲିସ ପକ୍ଷରୁ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

The post ଖୋର୍ଧାରେ ସଂକ୍ରମଣ କମିଲା, ଭୁବନେଶ୍ୱରରେ ଜାରି first appeared on Sambad.



from କରୋନା – Sambad https://ift.tt/3o0ZNwO