ନୁଆଦିଲ୍ଲୀ: ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ପ୍ରମୁଖ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଫଳାଫଳ ଆଗାମୀ କେଇ ସପ୍ତାହ ଭିତରେ ହସ୍ତଗତ ହୋଇପାରିବ। ସବୁ କିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ଡିସେମ୍ବର ସୁଦ୍ଧା ଏହି ଦୁଇ କମ୍ପାନି ସେମାନଙ୍କ ଟିକାର ବଜାର ପ୍ରବେଶ କରାଇପାରିବେ ବୋଲି ଆଶାବାଦୀ ଅଛନ୍ତି। ଆମେରିକା ଓ ୟୁରୋପରେ ଶୀତ ପଡ଼ୁପଡ଼ୁ ଅଭିନବ କରୋନାଭୂତାଣୁ ସଂକ୍ରମଣର ବ୍ୟାପକତା ବୃଦ୍ଧି ପରିପ୍ରେକ୍ଷୀରେ ମଡର୍ଣ୍ଣା ଓ ଫାଇଜର ଟିକା ଖୁବ୍‌ କାମରେ ଆସିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅକ୍ଟୋବର ମାସ ଶେଷ ସୁଦ୍ଧା ନୈଦାନିକ ପରୀକ୍ଷଣ ଫଳାଫଳ ପାଇବାକୁ ଆକଳନ କରିଥିବା ଫାଇଜର କମ୍ପାନି ଚଳିତବର୍ଷ ସୁଦ୍ଧା ଆମେରିକାରେ ନିଜ ଟିକାର ୪ କୋଟି ମାତ୍ରା ଯୋଗାଇଦେବାକୁ ଆଶା ରଖିଛି। ସେହିପରି ମଡର୍ଣ୍ଣା କମ୍ପାନି ମଧ୍ୟ ଡିସେମ୍ବର ଭିତରେ ନିଜ ଟିକାର ୨ କୋଟି ମାତ୍ରା ବଜାରକୁ ଛାଡ଼ିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିଗତ ଦୁଇ ମାସ ହେଲା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚଳାଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପ୍ରାରମ୍ଭରେ ସାମାନ୍ୟ ପ୍ରତିକୂଳ ପ୍ରତିକ୍ରିୟାକୁ ବାଦ୍‌ ଦେଲେ ତାହା ଅଦ୍ୟାବଧି ଫଳପ୍ରଦ ସାବ୍ୟସ୍ତ ହୋଇଛି। ତାହା ପ୍ରାପ୍ତବୟସ୍କ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଉତ୍ତମ ରୋଗପ୍ରତିରୋଧକତା ସୃଷ୍ଟି କରିପାରୁଥିବା ସ୍ପଷ୍ଟ ହୋଇଛି। ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ସଂଖ୍ୟକ କୋଭିଡ୍‌ ଟିକା ବିକଶିତ ହୋଇଥିବା ବେଳେ ସେଥିରୁ ୪୪ଟି ସେମାନଙ୍କ ନୈଦାନିକ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

The post ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା first appeared on Sambad.



from କରୋନା – Sambad https://ift.tt/3jFXZ95