ନୁଆଦିଲ୍ଲୀ: ଭାରତରେ ଲୋକମାନଙ୍କର ଆବଶ୍ୟକତା ଠାରୁ କମ୍‌ ସ୍ବାସ୍ଥ୍ୟରକ୍ଷା ସ୍ଥିତି ସେମାନଙ୍କୁ ଅନ୍ୟ ଦେଶ ତୁଳନାରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରିବା ଲାଗି ଅଧିକ ସହାୟକ ହେଉଛି। ଏପରି ଏକ ଅଜବ ନିର୍ଯାସ ମିଳିଛି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍‌ଆଇଆର୍‌) ଦ୍ବାରା ପରିଚାଳିତ ଅନୁଧ୍ୟାନରୁ। ସ୍ବାସ୍ଥ୍ୟଭିତ୍ତିକ ଅନ୍‌ଲାଇନ୍‌ ୱେବସାଇଟ୍‌ ‘ମେଡ୍‌ଆର୍କିଭ୍‌’ରେ ପ୍ରକାଶିତ ସିଏସ୍‌ଆଇଆର୍‌ର ଏହି ଗବେଷଣା ତଥ୍ୟାନୁଯାୟୀ, ଜୀବନର ପ୍ରାରମ୍ଭିକ କାଳରେ ମୁକ୍ତ ଭାବରେ ବିଭିନ୍ନ ରୋଗଜୀବାଣୁ ସଂସ୍ପର୍ଶରେ ଆସିବା ହିଁ ଜଣକୁ ପରବର୍ତ୍ତୀ କାଳରେ ବିଭିନ୍ନ ପ୍ରକାର ଅସହନଶୀଳ ରୋଗ ଦାଉରୁ ରକ୍ଷା କରିଥାଏ। ଏ ପ୍ରକାର ଉପସଂହାର ସ୍ବାସ୍ଥ୍ୟରକ୍ଷା ତତ୍ତ୍ବରୁ ହିଁ ଉଦ୍ଧୃତ ହୋଇଛି। ସେହିପରି କୋଭିଡ୍‌ ଆବିର୍ଭାବର ଅତିଶୟତା ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ପରି ସଂସର୍ଗ ଦ୍ବାରା ବ୍ୟାପୁନଥିବା ରୋଗ ମଧ୍ୟରେ କିଛି ସମ୍ପର୍କ ରହିଛି ବୋଲି ନିରୂପିତ ହୋଇଥିବା ବେଳେ କୌଣସି ଦେଶ ଉପରେ ଉପରୋକ୍ତ ରୋଗର ବୋଝ ଓ କୋଭିଡ୍‌ ମୃତ୍ୟୁହାର ମଧ୍ୟରେ ସେଭଳି କିଛି ନିର୍ଦ୍ଦିଷ୍ଟ ସମ୍ପର୍କ ସ୍ଥାପନ କରାଯାଇପାରିନାହିଁ। ତେବେ ଉଚ୍ଚ ମାନବ ବିକାଶ ମାନକ(ଏଚ୍‌ଡିଆଇ) ସଂପନ୍ନ କୌଣସି ଦେଶର କୋଭିଡ୍‌ ପୀଡ଼ିତମାନେ ଉପରୋକ୍ତ ରୋଗ ସମେତ ଶ୍ବାସକ୍ରିୟାରେ ସମସ୍ୟା ଭୋଗୁଥିଲେ ସେମାନଙ୍କ ସଂଖ୍ୟା ସହ କୋଭିଡ୍‌ ମୃତ୍ୟୁର କିଛି ସମ୍ପର୍କ ରହିଥିବା ଜଣାଯାଇଛି। ସେହିପରି ଆବଶ୍ୟକ ସ୍ବାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା ଥିବା ଅଧିକ ଜିଡିପି ସଂପନ୍ନ ଦେଶ ତୁଳନାରେ କମ୍‌ ଜିଡିପି ବିଶିଷ୍ଟ ଦେଶରେ ଲୋକଙ୍କ ସ୍ବାସ୍ଥ୍ୟରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ଦୁର୍ବଳ ଥିବାରୁ ସେମାନଙ୍କ ଠାରେ ଅଧିକ ରୋଗପ୍ରତିରୋଧକତା ବିକଶିତ ହୋଇଥିବା ଜଣାଯାଇଛି।

The post ଭାରତୀୟଙ୍କ ଦୁର୍ବଳ ସ୍ବାସ୍ଥ୍ୟରକ୍ଷା କୋଭିଡ୍‌ ବିରୋଧରେ ସହାୟକ: ସିଏସ୍‌ଆଇଆର୍‌ first appeared on Sambad.



from କରୋନା – Sambad https://ift.tt/37RHHrt