
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ କମିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ, ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଦୁର୍ଗାପୂଜା ସମୟରେ ଷଷ୍ଠୀ ଓ ସପ୍ତମୀ ତିଥିରେ ବଜାରରେ ବହୁତ ଭିଡ ରହୁଥିବାରୁ ବାହାରକୁ ଯିବା ପୂର୍ବରୁ ସତର୍କ ରହିବାକୁ ହେବ। ଅର୍ଥାତ ଏହି ସମୟରେ ସପିଂ କମ କରିବାକୁ ହେବ।
ଶ୍ରୀ ଚୌଧୁରୀ ଉଦାହରଣ ମାଧ୍ୟମରେ କହିଛନ୍ତି କେରଳରେ ବିଗତ ଦିନରେ କରୋନା ସଂକ୍ରମଣ କମିଥିଲା। କିନ୍ତୁ ଓନାମ ପର୍ବ ସମୟରେ ଲୋକେ ଏକତ୍ର ହେବା ପରେ ଏହା ପୁଣି ଥରେ ବଢ଼ିଥିଲା। ସେହିପରି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏକଦା କରୋନା କମିଥିଲା। କିନ୍ତୁ ଏବେ ପୁଣି ବଢ଼ିଛି। ପାର୍ବଣ ଋତୁ ସମୟରେ ଆମକୁ ସତର୍କ ରହିବାକୁ ହେବ। ବିଏମସି, ବିଡିଏକୁ ନେଇ ଆମର ବୈଠକ ହେଉଛି। ପୂଜା କମିଟିମାନଙ୍କ ସହିତ କଥା ଚାଲିଛି। ଲୋକଙ୍କୁ ସତର୍କ କରାଯାଉଛି। ଲୋକେ ଘରେ ପୂଜା କରନ୍ତୁ ବୋଲି ବିଏମ୍ସି କମିସନର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ବିଏମ୍ସି କମିସନର ଶ୍ରୀ ଚୌଧୁରୀ ଆହୁରି କହିଛନ୍ତି ଗତକାଲି ଯାଏଁ ଭୁବନେଶ୍ୱରସ୍ଥିତ ସରକାରୀ ହସ୍ପିଟାଲରେ ୧୦୦ଟି ଆଇସିୟୁ ଖାଲିଥିଲା। ରାଜଧାନୀରେ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେଉଥିବାରୁ ଜାମୁଝରି ଓ ଜଟଣୀରେ ଥିବା କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ୭୫୦ ଶଯ୍ୟା ଥିଲା।
The post କରୋନାରୁ ଦୂରରେ ରହିବା ଲାଗି ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ରହିବାକୁ ହେବ: ବିଏମ୍ସି କମିସନର first appeared on Sambad.
from କରୋନା – Sambad https://ift.tt/3nW7Fzy
0 Comments