
ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜଧାନୀରେ ଥିବା ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍କ ହେଉଥିବା ମୃତ୍ୟୁର ଡେଥ୍ ଅଡିଟ୍ ଆରମ୍ଭ ହେବ। ଏଥିପାଇଁ ବିଏମ୍ସି ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଗୋଟିଏ ଟିମ୍ରେ ଅତିରିକ୍ତ କମିସନର୍ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡାକ୍ତର ଓ ଅନ୍ୟମାନେ ଏହି ଟିମ୍ରେ ରହିଛନ୍ତି। ରାଜଧାନୀରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ଅଡିଟ୍ କରାଯାଇ ସଙ୍ଗେସଙ୍ଗେ ସ୍ବାସ୍ଥ୍ୟ ବିଭାଗକୁ ଏହାର ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ବିଏମ୍ସି କମିସନର୍ ପ୍ରେମ ଚନ୍ଦ୍ର ଚୌଧରୀ।
ଶ୍ରୀ ଚୌଧରୀ କହିଛନ୍ତି ଯେ ରାଜଧାନୀରେ କିମ୍ସ, ସମ୍, ଆଦିତ୍ୟ ଅଶ୍ବିନୀ, ନୀଳାଚଳ, ହାଇକେଟ୍, ବ୍ଲୁ ହ୍ବିଲ୍ ସରକାରୀ କୋଭିଡ ହସ୍ପିଟାଲକୁ ବାଦ୍ ଦେଲେ ୧୮ଟି ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ବରରେ ଥିବା କୋଭିଡ୍ ହସ୍ପିଟାଲରେ କେବଳ ଭୁବନେଶ୍ବର ରୋଗୀ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀଙ୍କ ଚିକିତ୍ସା କରାଯାଉଛି। ଡେଥ୍ ଅଡିଟ୍ ଏକ ଜଟିଳ ପ୍ରକ୍ରିୟା। ଏଥିରେ ରୋଗୀଙ୍କ ଆଡମିସନ୍ଠାରୁ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ କାଗଜପତ୍ରର ଆବଶ୍ୟକତା ହୋଇଥାଏ। ତେଣୁ ଏଥିପାଇଁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଛି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଥ୍ ଅଡିଟ୍ କରାଯାଉଥିବା ବେଳେ ଏବେ ରାଜ୍ୟ ସରକାର ଜିଲ୍ଲା ଓ ମ୍ୟୁନିସିପାଲଟି ସ୍ତରରେ ଏହାର ଅଡିଟ୍ କରିବା ଲାଗି ନିର୍ଦେଶ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ ଯେ ରାଜଧାନୀରେ ଆହୁରି ୨ ଶ୍ମଶାନ ପ୍ରତିଷ୍ଠା ଏକ ପୁରୁଣା ଦାବି। ଆଧୁନିକ ଶବଦାହ ବ୍ୟବସ୍ଥା ସ୍ମାର୍ଟ ସିଟିର ଏକ ଆବଶ୍ୟକତା। କରୋନା ପାଇଁ ସତ୍ୟନଗର ଶ୍ମଶାନରେ ଚାପ ପଡ଼ିବା ଓ ସ୍ଥାନୀୟ ଲୋକମାନେ ଏଥିପାଇଁ ଅଭିଯୋଗ ଆଣିବା ପରେ ଅନ୍ୟ ଶ୍ମଶାନ ଉପରେ ଗୁରୁତ୍ବ ଦିଆଯାଇଛି। ତଥାପି ଏହା କାର୍ଯ୍ୟକ୍ଷମ ହେବା ଲାଗି କିଛି ଦିନ ଲାଗିବ।
The post ଆଜିଠାରୁ ରାଜଧାନୀରେ କରୋନା ଡେଥ୍ ଅଡିଟ୍ first appeared on Sambad.
from କରୋନା – Sambad https://ift.tt/2IyydXj
0 Comments