ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଖସି ଆସିଛି। ଖସିବା ଧାରା ଆଗକୁ ମଧ୍ୟ ଜାରି ରହିବ। ମାତ୍ର ସଂକ୍ରମଣ ଖସି ଆସିଛି ବୋଲି ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକମାନେ ସତର୍କ ନ ହେଲେ ୟୁରୋପୀୟ ଦେଶଗୁଡ଼ିକ ଭଳି କରୋନାର ଦ୍ବିତୀୟ ଲହରୀର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ତେଣୁ କରୋନାକୁ ନିୟନ୍ତ୍ରଣ ପାଇଁ ଲୋକମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଲୋକମାନେ ଗୁରୁତ୍ବ ଦେବା ଦରକାର। ଯଥାସମ୍ଭବ ଗହଳି ସ୍ଥାନରୁ ଲୋକମାନେ ଦୂରେଇ ରହିବା ଜରୁରୀ।

ଅପରପକ୍ଷରେ ରାଜଧାନୀରେ କୋଭିଡ୍‌ ନମୁନା ପରୀକ୍ଷା କମିଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହାର ସତ୍ୟତା ନାହିଁ। ଯେତେ ସଂଖ୍ୟାରେ ଲୋକମାନେ ପରୀକ୍ଷା ପାଇଁ ସେହି ଅନୁଯାୟୀ ନମୁନା ପରୀକ୍ଷା କରାଯିବ। ରାଜଧାନୀରେ ଥିବା ୨୩ଟି ପିଏଚ୍‌ସି/ସିଏଚ୍‌ସିରେ ନମୁନା ପରୀକ୍ଷା କରାଯାଉଛି। କ୍ୟାମ୍ପ୍ ଓ କ୍ୟାପିଟାଲ ହସ୍ପିଟାଲରେ ଆରଟି-ପିସିଆର ପାଇଁ ନମୁନା ସଂଗ୍ରହ କରାଯାଉଛି। ତଥାପି ଏବେ ଦିନକୁ ୩/୪ହଜାର ନମୁନା ପରୀକ୍ଷା ହେଉଛି। ଭୁବନେଶ୍ବରରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖସି ଆସିଛି। ପ୍ରାୟ ୭୫ ପ୍ରତିଶତ ରୋଗୀ ଗୃହ ପୃଥକବାସରେ ରହିଛନ୍ତି। ସେମାନଙ୍କର ସ୍ବଳ୍ପ କିମ୍ବା କରୋନା ଲକ୍ଷଣ ରହିଛି, ସେମାନଙ୍କୁ ଫାଭିପିରାଭିର ବଟିକା ଦିଆଯାଉଛି। ଆରଆରଟି ଟିମ୍‌ରେ ଏମ୍‌ବିବିଏସ୍‌ କିମ୍ବା ବିଶେଷଜ୍ଞ ଡାକ୍ତର ଏହି ଟିମ୍‌ରେ ରହିଛନ୍ତି। ରାଜଧାନୀରେ ସମୁଦାୟ ୪୦୫ ଆଇସିୟୁ ଶଯ୍ୟା ରହିଥିବା ବେଳେ ୩୦୫ରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏବେ ୧୦୦ ଆଇସିୟୁ ଶଯ୍ୟା ଖାଲି ରହିଛି। ଗୃହ ପୃଥକବାସରେ ରହୁଥିବା କୋଭିଡ ରୋଗୀ ନିଜର ଡିସଚାର୍ଜ ସାର୍ଟିଫିକେଟ୍ ଆରଆରଟି ଜରିଆରେ ପାଇ ପାରିବେ। ଏହାସହ ଜୋନାଲ୍ ଡେପୁଟି କମିସନର୍‌ଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହା ଉପଲବ୍ଧ ହେଉଛି।

ବନ୍ଦ ହେଲା ଜାମୁଝରୀ ଓ ଜଟଣୀ କୋଭିଡ୍‌ କେୟାର କେନ୍ଦ୍ର
କରୋନା ରୋଗୀଙ୍କ ସଂଖ୍ୟାକୁ ଦେଖି କୋଭିଡ ହସ୍ପିଟାଲ୍‌ ବାଦ୍ କୋଭିଡ କେୟାର କେନ୍ଦ୍ର ବା ସିସିସି ଖୋଲା ଯାଇଥିଲା। ଗତ କିଛିଦିନ ହେବ କରୋନା ରୋଗୀଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ଯୋଗୁଁ ଜାମୁଝରୀ ଓ ଜଟଣୀସ୍ଥିତ ‌ସିସିସିକୁ ଗତ ୪/୫ ଦିନ ହେବ ବିଏମ୍‌ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। ଏହି ଦୁଇ ସିସିସିରେ ୭୫୦ଶଯ୍ୟା ରହିଥିଲା। ସେହିପରି ହାଇଟେକ୍ ସିସିସିରେ ଥିବା ଶଯ୍ୟାକୁ ମଧ୍ୟ କମାଇ ଦିଆଯାଇଛି। ଏଠାରେ ୫ଶହ ଶଯ୍ୟା ଥିବା ବେଳେ ଏହାକୁ ୨୫୦ ଶଯ୍ୟାକୁ ହ୍ରାସ କରାଯାଇଛି। ରୋଗୀଙ୍କ ସଂଖ୍ୟାକୁ ଦେଖି ପରବର୍ତୀ ସମୟରେ ଏହା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ
ଆଜିଠାରୁ ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି। ଆରଏମ୍‌ଆରସି ଓ ବିଏମ୍‌ସିର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି। ଆସନ୍ତା ସପ୍ତାହ ଭିତରେ ଏହାର ଫଳାଫଳ ସଂପର୍କରେ ଜଣାପଡ଼ିବ। ରାଜଧାନୀର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଫଳରେ ରାଜଧାନୀରେ କେତେ ଲୋକଙ୍କ ଶରୀରରେ କରୋନା ପାଇଁ ଆଣ୍ଟିବଡି ବିକଶିତ ହୋଇଛି, ତାହା ସ୍ପଷ୍ଟ ହୋଇପାରିବ। ଏହା ପୂର୍ବରୁ ରାଜଧାନୀରେ ଦୁଇଥର ସେରୋ ସର୍ଭେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧.୪୮ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ନଜରକୁ ଆସିଥିଲା। ପ୍ରଥମ ଦିନରେ ଆଜି ୫୭୪ ନମୁନା ସଂଗ୍ରହ କରାଯାଇଛି। ଆସନ୍ତାକାଲି ୧୦ଟି ୱାର୍ଡରୁ ୬ଶହ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।

The post କରୋନା ସଂକ୍ରମଣ ଖସୁଛି, ପାର୍ବଣ ପାଇଁ ସତର୍କ ରୁହ first appeared on Sambad.



from କରୋନା – Sambad https://ift.tt/2T3sdb2