
ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ମହାମାରୀ କରୋନା ମୃତ୍ୟୁ ଲୋକଙ୍କୁ ଭୟଭୀତ କରି ରଖିଛି। ଏମିତି ସ୍ଥିତିରେ କରୋନା ଛାଟ ଯୋଗୁଁ ରୋଜଗାର ହରାଇଥିବା ଜଣେ ଯୁବକଙ୍କ ଆତ୍ମହତ୍ୟା ସ୍ଥାନୀୟ ଅଞ୍ଚଳରେ ଆହୁରି ଭୟର ବାତାବରଣ ଖେଳାଇ ଦେଇଛି। ମୃତକ ହେଲେ, ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ବେଣୁଧର ବେହେରା (୪୨)। ଆଜି ଭୋର୍ ସମୟରେ ବେଣୁଧର ବେକରେ ଲୁଗା ବାନ୍ଧି ଶିଡ଼ି ଘର କଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଘଟଣା ଜଣାପଡ଼ିବା ମାତ୍ରେ ପରିବାରଲୋକେ ତାଙ୍କୁ ପ୍ରଥମେ ଅଠାନ୍ତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ବେଣୁଧରଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ବାଲିଅନ୍ତା ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ବେଣୁଧର ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। କରୋନା କଟକଣା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ କମ୍ପାନି ମାଲିକ ତାଙ୍କୁ କାମରୁ ଛଟେଇ କରି ଦେଇଥିଲେ। ସ୍ଥିତି ସ୍ବାଭାବିକ ହେଲେ ତାଙ୍କୁ ପୁନଃନିଯୁକ୍ତି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ତେଣୁ ଘରୋଇ ସଂସ୍ଥାରୁ ଋଣ କରି, ହାତ ଉଧାର କରି ସେ ପରିବାର ଖର୍ଚ୍ଚ ତୁଲାଉଥିଲେ। ଦୁଇ ଦୁଇଟି ଛୋଟ ପୁଅଝିଅଙ୍କ ପାଇଁ ଖର୍ଚ୍ଚ ସହ ଘର ଖର୍ଚ୍ଚ ତୁଲାଇବାକୁ ସେ ବଡ଼ ହୀନସ୍ତା ହୋଇଥିଲେ। ତେବେ ପୁନଃନିଯୁକ୍ତି ଆଶାରେ ସେ ସବୁ ସହି ଯାଉଥିଲେ। ମାତ୍ର କରୋନା କଟକଣା କୋହଳ ହେଲା ପରେ ବି ତାଙ୍କୁ ଆଉ ପୁନଃନିଯୁକ୍ତି ମିଳିଲା ନାହିଁ। ଏଣେ କରଜଦାତା ଓ ସଂସ୍ଥାମାନେ ଋଣ ପରିଶୋଧ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ। ତେଣୁ ଗତ କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ବିଚଳିତ ଜଣାପଡ଼ୁଥିଲେ।
The post କରୋନା ଛାଟ : ପୁନଃନିଯୁକ୍ତି ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା first appeared on Sambad.
from କରୋନା – Sambad https://ift.tt/3j0tdY8
0 Comments