ବାରିପଦା: ସେପ୍ଟେମ୍ବର ଭଳି ସଂକମ୍ରିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଚଳିତ ମାସରେ ନାହିଁ। ସେହିପରି ଜିଲ୍ଲାରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି । ମାତ୍ର ମୟୁରଭଞ୍ଜ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଏପରିକି ଗତ ତିନି ଦିନ ମଧ୍ୟରେ ଜିଲ୍ଲାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ପ୍ରକାଶ। ଆଜି ପୁଣି ଜିଲ୍ଲାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ୫୭, ୭୦ ଓ ୭୨ ବର୍ଷ ବୟସ୍କ ୩ ଜଣ ପୁରୁଷ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ସେହିପରି ଆଜି ଜିଲ୍ଲାରୁ ୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୪୩ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସୁସ୍ଥ ସଂଖ୍ୟା ୯,୪୬୮ ଥିବାବେଳେ ଆଜିସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧,୧୨୧ ରହିଛି। ଜିଲ୍ଲାର କପ୍ତିପଦା ବ୍ଲକ୍‌ର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ପ୍ରଥମ ଥର ୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୩, ୪୪୩ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨,୧୯୫, ସକ୍ରିୟ ସଂଖ୍ୟା ୧,୨୪୨ ଏବଂ ମୃତ୍ୟୁ ସଂଖ୍ୟା ୬ ରହିଥିଲା । ଏହାପରେ କେବଳ ଗତ ସେପ୍ଟେମ୍ବର ମାସରେ ଜିଲ୍ଲାରୁ ସର୍ବାଧିକ ୪ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪ ହଜାର ୬୨୭ ଜଣ ସୁସ୍ଥ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତ ଅକ୍ଟୋବର ମାସର ୨୨ ତାରିଖ ମଧ୍ୟରେ ଜିଲ୍ଲାରୁ ୨,୫୮୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୧ ପର୍ଯ୍ୟନ୍ତ ୨,୬୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଆଜି ସୁଦ୍ଧା ୧,୧୨୪ ଜଣ ସକ୍ରିୟ ରହିଥିବା ସମୟରେ ୨୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।

 

The post ମୟୁରଭଞ୍ଜ ଜିଲ୍ଲାରେ ତିନି ଦିନରେ ୧୧ ମୃତ: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି first appeared on Sambad.



from କରୋନା – Sambad https://ift.tt/2TjqFKa