
ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ନିମନ୍ତେ ଟିକା ପ୍ରସ୍ତତ ହୋଇଯିବା ମାତ୍ରେ ରାଜ୍ୟବାସୀଙ୍କୁ ମାଗଣାରେ ଦିଆଯିବ ବୋଲି ଗୁରୁବାର ଦିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡ଼ପ୍ପାଦୀ କେ ପଲାନିସ୍ବାମୀ କହିଛନ୍ତି।
ବିହାର ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟିର ଇସ୍ତାହାର ‘ସଙ୍କଳ୍ପ ପତ୍ର’ ଉନ୍ମୋଚନ କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟବାସୀଙ୍କ ନିମନ୍ତେ ମାଗଣା କୋଭିଡ୍-୧୯ ଟିକା ଘୋଷଣା କରିବାର ଦିନକ ପରେ ପଲାନିସ୍ବାମୀ ମଧ୍ୟ ମାଗଣା ଟିକା ଘୋଷଣା କରିଛନ୍ତି।
ଗଣମାଧ୍ୟମକୁ ସେ କହିଛନ୍ତି, କୋଭିଡ୍-୧୯ ଟିକା ପ୍ରସ୍ତୁତ ହୋଇଗଲେ, ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ ଦିଆଯିବ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ତୃତୀୟ ପାଳିରେ କ୍ଷମତାସୀନ ହେବାକୁ ଉଦ୍ୟମ କରୁଥିବା ଶାସକ ‘ଏଆଇଏଡିଏମ୍କେ’ ନିମନ୍ତେ ଏହି ନିର୍ବାଚନ ଅତି ଗୁରୁତ୍ବପୂର୍ଣ୍ଣ। ଜୟଲଳିତାଙ୍କ ମୃତ୍ୟୁ ପରେ ଆକସ୍ମିକ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀ ପଲାନିସ୍ବାମୀ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିବେ।
ସେପଟେ, ନିର୍ବାଚନ ଇସ୍ତାହାରରେ ମାଗଣା କୋଭିଡ୍-୧୯ ଟିକା ଦେବାକୁ ଘୋଷଣା କରି ବିହାର ବିଜେପି ଖୁବ୍ ବିବାଦୀୟ ହୋଇଯାଇଛି। କଂଗ୍ରେସ ଠାରୁ ଆରମ୍ଭ କରି ଆମ୍ ଆଦ୍ମି ପାର୍ଟି ପର୍ଯ୍ୟନ୍ତ ଅଧିକାଂଶ ବିରୋଧୀ ଦଳ ଏହି ଘୋଷଣାକୁ ସମାଲୋଚନା କରୁଛନ୍ତି।
The post ତାମିଲନାଡୁରେ ମାଗଣା କୋଭିଡ୍-୧୯ ଟିକା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ first appeared on Sambad.
from କରୋନା – Sambad https://ift.tt/3dOxAV7
0 Comments