
ନୂଆଦିଲ୍ଲୀ : ରୁଷିଆର ସରକାରୀ ସଂସ୍ଥା ଗମାଲେଇ ପ୍ରତିଷ୍ଠାନ ଦ୍ବାରା ବିକଶିତ କୋଭିଡ୍-୧୯ ଟିକା ‘ସ୍ପୁଟନିକ୍-ଭି’ର ମସ୍କୋ ସହରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଜାରି ରହିଥିବା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାଯାଇଛି। ପରୀକ୍ଷଣରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଟିକାର ମାତ୍ରା ଉପଲବ୍ଧ ନହେବାରୁ ପରୀକ୍ଷଣକୁ ଏପରି ହଠାତ୍ ଅଧାରୁ ବନ୍ଦ କରାଯାଇଥିବା କୁହାଯାଇଛି।
ପରୀକ୍ଷଣ କେନ୍ଦ୍ରରେ ନୂଆ କରି ସାମିଲ ହେଉଥିବା ସ୍ବେଚ୍ଛାସେବୀଙ୍କ ପାଇଁ ଆଦୌ ଟିକା ନଥିବା ବେଳେ ପରୀକ୍ଷଣ ଚଳାଇଥିବା ସ୍ବେଚ୍ଛାସେବୀଙ୍କୁ ପରବର୍ତ୍ତୀ ମାତ୍ରା ଦେବାକୁ ପାଖରେ କିଛି ଗଚ୍ଛିତ ନାହିଁ ବୋଲି ପରୀକ୍ଷଣ ଚଳାଇଥିବା ୨୫ଟି ସ୍ବାସ୍ଥ୍ୟକେନ୍ଦ୍ରରୁ ଅତି କମ୍ରେ ୮ଟି କେନ୍ଦ୍ର ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ପରୀକ୍ଷଣରେ ସାମିଲ ହେବାକୁ ମାତ୍ରାଧିକ ସ୍ବେଚ୍ଛାସେବୀଙ୍କ ସୁଅ ଛୁଟିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସଫେଇ ଦିଆଯାଉଥିବା ବେଳେ ଆବଶ୍ୟକ ଟିକା ଯୋଗାଣରେ ରୁଷିଆର ଅପାରଗତା ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଚୂଡ଼ାନ୍ତ ପରୀକ୍ଷଣ ନ କରି ବି ଅଢ଼େଇ ମାସ ତଳେ ଉକ୍ତ ଟିକାକୁ ସାର୍ବଜନୀନ ବ୍ୟବହାର ପାଇଁ ରୁଷିଆ ଲୋକାର୍ପଣ କରିଥିଲା।
The post ଆବଶ୍ୟକ ମାତ୍ରା ଅଭାବରୁ ‘ସ୍ପୁଟନିକ୍-ଭି’ ପରୀକ୍ଷଣ ବନ୍ଦ first appeared on Sambad.
from କରୋନା – Sambad https://ift.tt/3eamxpq
0 Comments