ପୁଣେ: ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ଉପଯୁକ୍ତ ଟିକା ପ୍ରସ୍ତୁତି ଲାଗି ବିଶ୍ବ ତମାମ ବିଭିନ୍ନ ଔଷଧ ନିର୍ମାତା କମ୍ପାନି ଓ ଭେଷଜ ପ୍ରତିଷ୍ଠାନ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ପାଖାପାଖି ୧୬୦ ପ୍ରକାର କୋଭିଡ୍‌ ଟିକାର ବିକାଶ ବିଭିନ୍ନ ସ୍ତରରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ୨୬ଟି ନୈଦାନିକ ପରୀକ୍ଷଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପରିକି ତିନିଟି ଟିକା ହିଁ ମାନବ ଶରୀରରେ ତୃତୀୟ ପର୍ଯ୍ୟାୟ ବା ଗୁରୁତ୍ବପୂର୍ଣ୍ଣ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚି ପାରିଛନ୍ତି। ସମ୍ଭାବ୍ୟ ଟିକାଗୁଡ଼ିକର ଦର କେତେ ରହିବ ସେ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆମେରିକାର ନୋଭାଭାକ୍ସ ଇନ୍‌. ସହ ମିଶି ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ୟାବସାୟିକ ପ୍ରସ୍ତୁତି ପାଇଁ ଚୁକ୍ତି ସ୍ବାକ୍ଷରିତ କରିଥିବା ଏନ୍‌ଭିଏକ୍ସ-କୋଭ୍‌୨୩୭୩ ନାମକ ଟିକାର ମୂଲ୍ୟ ୩ ଡଲାର ବା ୨୨୫ ଟଙ୍କାରୁ କମ୍‌ ରହିବ ବୋଲି ଜଣାଯାଇଛି।

ଅପରପକ୍ଷେ, ଆମେରିକୀୟ କମ୍ପାନି ମଡର୍ଣ୍ଣା ଇନ୍.ଦ୍ବାରା ବିକଶିତ ‘ଏମ୍‌ଆର୍‌ଏନ୍‌ଏ-୧୨୭୩’ ନାମକ ଟିକାର ମୂଲ୍ୟ ୫୦ ଡଲାରରୁ ୬୦ ଡଲାର ଭିତରେ ଅର୍ଥାତ୍‌ ୩,୭୦୦ ଟଙ୍କାରୁ ୪,୫୦୦ ଟଙ୍କା ମଧ୍ୟରେ ରହିବ ବୋଲି ଜଣାଯାଇଛି। ସେହିପରି ଅନ୍ୟତମ ଆମେରିକୀୟ କମ୍ପାନି ଫାଇଜର-ବାୟୋଏନ୍‌ଟେକ୍ ଦ୍ବାରା ବିକଶିତ ‘ବିଏନ୍‌ଟି୧୬୨ବି୨’ ନାମକ ଟିକାର ମୂଲ୍ୟ ୩,୦୦୦ ଟଙ୍କା ଯାଏ ପଡ଼ିପାରେ ବୋଲି ଆକଳନ କରାଯାଇଛି। ଏଥି ସହିତ ଆଷ୍ଟ୍ରାଜେନେକା ସହ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ବିକଶିତ କରିଥିବା ସିଏଚ୍‌ଏଡିଓଏକ୍ସ୧ ନାମକ ଟିକାକୁ ମଧ୍ୟ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତରେ ‘କୋଭାସିଲ୍‌ଡ’ ନାମରେ ଛାଡ଼ିବାକୁ ଥିବା ବେଳେ ଏହାର ମୂଲ୍ୟ ହଜାରେ ଟଙ୍କା କମ୍‌ ରହିବ ବୋଲି ପୂର୍ବରୁ କହିସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନି ପ୍ରସ୍ତାବ ରଖିଥିବା ସେମାନଙ୍କ ଟିକାର ଦର ତୁଳନାରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଏନ୍‌ଭିଏକ୍ସ-କୋଭ୍‌୨୩୭୩ ଦର (୨୨୫ ଟଙ୍କା) ସର୍ବନିମ୍ନ ରହିଛି।



from କରୋନା – Sambad https://ift.tt/3fJSZy6