ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କୋଭିଡ୍‌ ଟିକାର ନିରପେକ୍ଷ ତଥା ଯଥାର୍ଥ ବିତରଣକୁ ନିରୀକ୍ଷଣ କରିବା ପାଇଁ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ନୀତି ଆୟୋଗର ଡା. ଭି କେ ପାଲ୍‌ଙ୍କ ନେତୃତ୍ବରେ ଗଠିତ ଏହି ଟାସ୍କ ଫୋର୍ସର ସହଅଧ୍ୟକ୍ଷ ରହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଦେଶରେ ସାର୍ବଜନୀନ ବ୍ୟବହାର ପାଇଁ କୌଣସି କୋଭିଡ୍‌ ଟିକା ଉପଲବ୍‌ଧ ହେବା ମାତ୍ରେ ତାହାର ବିତରଣକୁ ସୁଗମ କରିବା ପାଇଁ ଏହି ଟାସ୍କ ଫୋର୍ସରେ ଏଥି ସହ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ ଓ ପ୍ରତିଷ୍ଠାନର ପ୍ରତିନିଧିମାନେ ରହିବେ। ସେମାନେ ଟିକା ଚୟନଠାରୁ ଆରମ୍ଭ କରି ଏହାର ଖରିଦ ଏବଂ ଦେଶର ୧୩୦ କୋଟି ନାଗରିକଙ୍କ ପାଖରେ ବିତରଣ ଯାଏ ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବେ।

ସୂଚନା ଥାଉ କି, ଆନ୍ତର୍ଜାତିକ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା, ମଡର୍ଣ୍ଣା ଓ ଫାଇଜର ନିଜ ଦ୍ବାରା ବିକଶିତ ପୃଥକ୍‌ ପୃଥକ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି। ସୁତରାଂ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ସେମାନଙ୍କ ଭିତରୁ ଅତି କମ୍‌ରେ କୌଣସି ବି ଗୋଟିଏ ଟିକା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍‌ଧ ହୋଇପାରିବ ବୋଲି ଆଶା କରାଯାଉଛି।



from କରୋନା – Sambad https://ift.tt/3kn70FL