
ମସ୍କୋ: ବିଶ୍ବରେ ଜାରି ରହିଥିବା ଅଭିନବ କରୋନାଭୂତାଣୁର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଏବଂ ତତ୍ଜନିତ ମୃତ୍ୟୁ ପରିପ୍ରେକ୍ଷୀରେ ମହାମାରୀ କୋଭିଡ୍-୧୯ର ସଫଳ ମୁକାବିଲା ପାଇଁ ରୁଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଏକ ଫଳପ୍ରଦ ଟିକା ବିକଶିତ ହୋଇଛି ବୋଲି ଦାବି କରାଯାଇଛି। ଏପରିକି ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍ ଟିକା ଭାବେ ଏହା ସାର୍ବଜନୀନ ବ୍ୟବହାର ପାଇଁ ଆତ୍ମପ୍ରକାଶ କରିବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ପ୍ରଥମେ ଦେଶର ସ୍ବାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକଙ୍କ ଠାରେ ଏହାର ପ୍ରୟୋଗ କରାଯିବ ବୋଲି ସେ ସଂକେତ ଦେଇଛନ୍ତି। କୌଣସି ନାମକରଣ ହୋଇନଥିବା ଉକ୍ତ ଟିକାର ବର୍ତ୍ତମାନ ମନୁଷ୍ୟ ଶରୀରରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ବେଳେ ଏହାର ପ୍ରୟୋଗ ପାଇଁ ଆବଶ୍ୟକ ଅନୁମତି ଏବଂ ପ୍ରସ୍ତୁତି ପାଇଁ କାଗଜପତ୍ର ସରିଯାଇଛି ବୋଲି ରୁଷୀୟ ଗଣମାଧ୍ୟମରୁ ସୂଚନା ମିଳିଛି।
ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରୁଷିଆକୁ ଟିକା ପ୍ରସ୍ତୁତି ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ସତର୍କ କରାଇ ଦେଇଛି। ସୂଚନାଯୋଗ୍ୟ, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ଆଲୋଚନା ହେଉଛି। ଫଳରେ ଟିକାର ସମ୍ଭାବ୍ୟ ସଫଳତାରେ ପ୍ରଶ୍ନବାଚୀ ଲାଗିଛି। ତେବେ କମ୍ପାନି ପକ୍ଷରୁ ଅଗଷ୍ଟ ୩ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାରି ପରେ ପରେ ଉଭୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରୟୋଗ ସମାନ୍ତରାଳ ଭାବେ ଚାଲୁ ରହିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିଲା।
from କରୋନା – Sambad https://ift.tt/2PDXjEK
0 Comments