
ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସାରା ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ଏହି ଭାରିଆଣ୍ଟ କୋଭିଡ୍-୧୯ ମହାମାରୀକୁ ଏକ ସାଧାରଣ ରୋଗରେ ପରିଣତ କରିଦେବ। ସିଏନ୍ବିସି ରିପୋର୍ଟ ଅନୁସାରେ, ବିଶେଷଜ୍ଞମାନେ ଭାବୁଛନ୍ତି ଓମିକ୍ରନ୍ ପ୍ରଜାତି କରୋନା ମହାମାରୀକୁ ସାଧାରଣ ରୋଗରେ ପରିଣତ କରିପାରେ। ଏହା ପଛରେ ରହିଥିବା ତତ୍ତ୍ବଟି ହେଉଛି ଓମିକ୍ରନ୍ ଅତି ଦ୍ରୁତଗତିରେ ମାଡ଼ୁଛି। ଟିକା ନେଇ ନ ଥିବା ଲୋକେ ବେଶି ଏହାର କବଳିତ ହେବାର ସମ୍ଭାବନା ରହିଛି।
ଆଗାମୀ ମାସଗୁଡ଼ିକରେ ଡାକ୍ତରଖାନାରେ ଭର୍ତ୍ତି ହେବା ଓ ମୃତ୍ୟୁସଂଖ୍ୟା ବଢ଼ିପାରେ। କିନ୍ତୁ ଯେଉଁମାନେ ଏ ରୋଗରୁ ଭଲ ହୋଇ ଫେରିବେ ସେମାନଙ୍କ ଭିତରେ ପ୍ରାକୃତିକଭାବେ ରୋଗନିରୋଧକ କ୍ଷମତା ବୃଦ୍ଧି ପାଇବ, ଯାହା ଭବିଷ୍ୟତ କୋଭିଡ୍-୧୯ ଭାରିଆଣ୍ଟରୁ ରକ୍ଷା କରିବ। ତେବେ କଲମ୍ବିଆ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ବିଶ୍ବବିଖ୍ୟାତ ଭୂତାଣୁତତ୍ତ୍ବବିତ୍ ଡ. ଡେଭିଡ୍ ହୋ କହିଛନ୍ତି ଯେ, ଏହା ଏକ ‘ଆନୁମାନିକ’ ତତ୍ତ୍ବ ଏବଂ ଗତ ଦୁଇବର୍ଷ ଭିତରେ କୋଭିଡ୍-୧୯ କେତେକ ‘ଅନପ୍ରେଡିକ୍ଟେବ୍ଲ ଟର୍ଣ୍ଣ’ (ଅପ୍ରତ୍ୟାଶିତ ମୋଡ଼) ନେଇଆସିଛି। ଓମିକ୍ରନ୍ ପ୍ରଥମେ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ଓ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ବଢ଼ିଛି। କିନ୍ତୁ ମୃତ୍ୟୁସଂଖ୍ୟା ତୁଳନାତ୍ମକଭାବେ ବହୁତ କମ୍ ରହିଛି। ସେଠାରେ ଟିକାକରଣ ସଂଖ୍ୟା କମ୍ ହେବା ସହିତ ଡିସେମ୍ବର ମାସରେ ବି ଉତ୍ତାପ ଅଧିକ ରହିବାରୁ ସଂକ୍ରମଣ ବୃଦ୍ଧି ପାଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଲିସେଷ୍ଟର ବିଶ୍ବବିଦ୍ୟାଳୟର ଶ୍ବସନ ବିଜ୍ଞାନ ପ୍ରଫେସର ଡ. ଜୁଲିଆନ ତାଙ୍ଗ କହିଛନ୍ତି, କରୋନାଭାଇରସର ପ୍ରଥମ ଭାରିଆଣ୍ଟ ହେଉଛି ଓମିକ୍ରନ୍ ଯାହା ଗୁରୁତର ଅସୁସ୍ଥତା ସୃଷ୍ଟି କରିବାର କ୍ଷମତା ହରାଇଛି। ଲକ୍ଷଣଗୁଡ଼ିକୁ ସାମାନ୍ୟ କରିବାରେ ଏହା ପ୍ରଥମ ପାହାଚ ବୋଲି ସେ ଅନୁମାନ କରୁଥିବା କହିଛନ୍ତି। ଇତିମଧ୍ୟରେ ଭାରତରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇ ତୃତୀୟ ଲହରର ଆଶଙ୍କା ସୃଷ୍ଟି କରିଛି। ଦେଶରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଟପିଗଲାଣି। ତେବେ ଦ୍ରୁତ ସଂକ୍ରମଣଶୀଳ ହେଲେ ମଧ୍ୟ ଓମିକ୍ରନ୍ ପୂର୍ବ ଭାରିଆଣ୍ଟ ପରି ମାରାତ୍ମକ ନୁହେଁ ବୋଲି ପ୍ରମାଣ ମିଳିସାରିଲାଣି।
The post ଓମିକ୍ରନ୍ କୋଭିଡ୍ ମହାମାରୀକୁ ସାଧାରଣ ରୋଗରେ ପରିଣତ କରିବ କି? first appeared on Sambad.from କରୋନା | Sambad https://ift.tt/3JyB39X
0 Comments