
ନୂଆଦିଲ୍ଲୀ: ୧୫-୧୮ ବୟସବର୍ଗର ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ଟିକାକରଣ ‘ତରୁଣ ଭାରତକୁ କୋଭିଡ୍’ରୁ ସୁରକ୍ଷା ଦେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ବିଶ୍ବର ବୃହତ୍ତମ ଟିକାକରଣ ଅଭିଯାନରେ ଆଜି ସମଗ୍ର ଦେଶରେ ୧୫-୧୮ ବର୍ଷ ବୟସବର୍ଗର ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।
ଆମ ‘ଯୁବ ଭାରତ’କୁ କୋଭିଡ୍ରୁ ସୁରକ୍ଷା ରହିବାର କବଚ ଦେଇଥିବାରୁ ମୁଁ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ଆଦି ରାଜ୍ୟରେ ଆଜି ସକାଳୁ ଟିକାରକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ରାଜସ୍ଥାନ ଏବଂ କର୍ଣ୍ଣାଟକ ଭଳି ବାକି ରାଜ୍ୟରେ ମଧ୍ୟ କିଛି ସମୟ ଭିତରେ ଟିକାକରଣ ଅଭିଯାନ ଆରମ୍ଭ ହେବ।
ସରକାରଙ୍କ ‘କୋୱିନ୍’ ପୋର୍ଟାଲ୍ରେ ପଞ୍ଜିକରଣ କରାଇଥିବା ୮ ଲକ୍ଷରୁ ଅଧିକ ପିଲାଙ୍କୁ ‘କୋଭାକ୍ସିନ୍’ ଟକା ଦିଆଯିବ। ପ୍ରଥମ ଡୋଜ୍ ଟିକା ନେବା ପାଇଁ ଆଜି ଯୋଗ୍ୟ ବିବେଚିତ ଅଧିକାଂଶ ପିଲାଙ୍କ ମଧ୍ୟରେ ଉଦ୍ଦୀପନା ଦେଖା ଦେଇଛି।
ଦୀପଶିଖା ଶାହା ନାମ୍ନୀ କୋଲ୍କାତାର ଜଣେ ୧୫ ବର୍ଷୀୟ ୧୦ମ ଶ୍ରେଣୀ ଛାତ୍ରୀ କହନ୍ତି, ଟିକା ନେବାକୁ ମୋର ଭୟନାହିଁ। ଟିକା ନେବା ପରେ ମୁଁ ବାହାରକୁ ବାହାରିବା ସହ ସ୍କୁଲ୍ ଯାଇପାରିବି। ଦ୍ବିତୀୟ ଡୋଜ୍ ପ୍ରସଙ୍ଗରେ ଏଯାବତ୍ ଆମକୁ କିଛି କୁହାଯାଇନାହିଁ।
୧୦ମ ଶ୍ରେଣୀର କୃତ୍ତିକା ସର୍ଦାର୍ ନାମ୍ନୀ ଆଉ ଜଣେ ୧୫ ବର୍ଷୀୟ ଛାତ୍ରୀ କହନ୍ତି, ମତେ ଛୁଞ୍ଚିକୁ ଡର ମାନେ, କିନ୍ତୁ ମୁଁ ଟିକାର ଗୁରୁତ୍ବ ବୁଝିଛି। ଘରେ ଥାଇ ପଢ଼ିବା ସମସ୍ୟାମୟ ହେଉଥିବାରୁ ମୁଁ ଚାହେଁ, ପୁଣି ସ୍କୁଲ୍ ଖୋଲୁ। ସ୍କୁଲ୍ ଓ ସାଙ୍ଗସାଥୀଙ୍କ କଥା ଭାରି ମନେପଡୁଛି।
ମନରୁ ଭୟ ଦୂରେଇବାକୁ ଉଦ୍ୟମ କରି ବିଶେଷଜ୍ଞମାନେ କହିଛନ୍ତି ଯେ, ଟିକା ନିରାପଦ ଏବଂ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧିକାରକ। ‘କୋଭାକ୍ସିନ୍’ର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଅତି ସାମାନ୍ୟ ଏବଂ ପିଲାମାନଙ୍କ ଶରୀରରେ ଅନେକ ମାସ ଧରି ରୋଗପ୍ରତିରୋଧକ ଶକ୍ତି ରହିବ।
ଶେଷ ଆଡ଼କୁ ସରିଯିବା ଏବଂ ବିଳମ୍ବ ଭଳି ପରିସ୍ଥିତି ଏଡ଼ାଇବାକୁ ଯଥେଷ୍ଟ ପରିମାଣର ଟିକା ଗଚ୍ଛିତ ରଖିବା ଲାଗି ଟିକାକରଣ କେନ୍ଦ୍ରକୁଡ଼ିକୁ ନିର୍ଦେଶ ଦିଆଯାଇଛି।
The post ‘ତରୁଣ ଭାରତକୁ କୋଭିଡ୍’ରୁ ସୁରକ୍ଷା ଦେବ ୧୫-୧୮ ବୟସବର୍ଗଙ୍କ ପାଇଁ ଟିକାକରଣ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/3qGYeX4
0 Comments