
ଭୁବନେଶ୍ବର: ଦୀର୍ଘ ୨୧ ମାସ ପରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ଲାଇନ୍ରେ ପାଠ ପଢ଼ିବେ। ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଂଜନ ଦାଶ ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ୨୦୨୨ ଜାନୁଆରି ୩ତାରିଖ ଠାରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୨୦୨୨ ଜାନୁଆରି ୫ ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ ସମେଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟଗୁଡ଼ିକୁ ୨୦୨୨ ଜାନୁଆରି ୧୦ ତାରିଖ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ୍-ରାସନ୍ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସ୍ଓପି ବିଭାଗ ଦ୍ଵାରା ଜାରି କରାଯିବ।
ସୂଚନାଯୋଗ୍ୟ, କୋଭିଡ-୧୯ ସଂକ୍ରମଣ ଭାରତ ସମେତ ସମଗ୍ର ବିଶ୍ବରେ ବ୍ୟାପିବା କାରଣରୁ ରାଜ୍ୟ ସରକାର ୨୦୨୦ ମସିହା ମାର୍ଚ୍ଚ ୧୭ ତାରିଖରେ ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇ ବନ୍ଦ ରଖିଥିଲେ। ଚଳିତ ବର୍ଷ ଜାନୁଆରିରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍ଲାଇନ୍ରେ କ୍ଲାସ ଆରମ୍ଭ ହୋଇଥିଲା। କିନ୍ତୁ ଏପ୍ରିଲ ମାସରେ କରୋନାର ୨ୟ ଲହର ପୁଣି ଥରେ ବଢ଼ିବା ପରେ ରାଜ୍ୟର ସମସ୍ତ ସ୍କୁଲ-କଲେଜକୁ ବନ୍ଦ କରାଯାଇଥିଲା। ପର୍ଯ୍ୟାୟ କ୍ରମେ ସରକାର ୬ଷ୍ଠ ଶ୍ରେଣୀ ଠାରୁ ଉପର କ୍ଲାସଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ସମେତ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ୬ଷ୍ଠ ଶ୍ରେଣୀଠାରୁ ଉପର ଶ୍ରେଣୀ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ରେ କ୍ଲାସ ଚାଲିଛି। ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରିତ ଥିବାରୁ ସରକାର ଆଗାମୀ ଜାନୁଆରି ୩ ତାରିଖ ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
The post ୨୧ ମାସ ପରେ ଅଫ୍ଲାଇନ୍ରେ ପାଠ ପଢ଼ିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା, ଜାନୁଆରି ୩ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ first appeared on Sambad.from କରୋନା | Sambad https://ift.tt/3z3Axfl
0 Comments