
ଭୁବନେଶ୍ବର : ୪ ବିଦେଶ ଫେରନ୍ତାଙ୍କଠାରେ ମିଳିଲାନି ‘ଓମିକ୍ରନ୍’। ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ବିଦେଶ ଫେରନ୍ତାଙ୍କ ପଜିଟିଭ୍ ନମୁନାର ହୋଇଥିବା ଜିନ୍ ଅନୁଶୀଳନରେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ନ ଥିବା ସ୍ପଷ୍ଟ ହୋଇଛି। ସେମାନଙ୍କଠାରେ ଡେଲ୍ଟା ଓ ସବ୍-ଲିନିଏଜ୍ ଏୱାଇ.୪୪ ପ୍ରଜାତି ରହିଥିବା ଜଣାପଡ଼ିଛି। ଯାହାଫଳରେ ଓଡ଼ିଶାରେ ‘ଓମିକ୍ରନ୍’ କୁ ନେଇ ସାମୟିକ ଆଶ୍ବସ୍ତି ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଭିତରେ ଆଇଏଲଏସ୍ରେ ୨୮୮ଟି ପଜିଟିଭ୍ ନମୁନାର ଜିନ୍ ଅନୁଶୀଳନ କରାଯାଇଛି। ଏଥିରେ ୨୪୨ ନମୁନା ଓଡ଼ିଶାର ଥିବା ବେଳେ ୪୬ଟି ଛତିଶଗଡ଼ର ରହିଥିଲା। ଏଥିରୁ ୪୧ଟି ଡେଲ୍ଟା, ୫୯ଟି ସବ୍-ଲିନିଏଜ୍ ଏୱାଇ.୪୪ ଓ ୨୬ଟିରେ ଏୱାଇ.୧୦୨ ରହିଛି। ଗତମାସ ୨୬ତାରିଖ ତାରିଖ ପରେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିଲା। ଆରମ୍ଭରୁ ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ବେଶ୍ ମାପିଚୁପି ବୟାନ ଦେଇଥିଲେ। ହେଲେ ପରବର୍ତୀ ସମୟରେ ବିଭାଗ ପକ୍ଷରୁ ରାଜ୍ୟକୁ ପ୍ରାୟ ୯୮୨ ବିଦେଶ ଫେରନ୍ତା ଆସିଥିବା କୁହାଯାଇଥିଲା। ମାତ୍ର ଏହି ସଂଖ୍ୟା ଏବେ ବୃଦ୍ଧି ପାଇ ୧୨୮୬ରେ ପହଞ୍ଚିଛି। ଏଥିରୁ ସର୍ବାଧିକ ଫେରନ୍ତା ଗଞ୍ଜାମ, ଖୋର୍ଧା, କଟକ ଓ ଅନୁଗୁଳ ଜିଲ୍ଲାରୁ ରହିଛନ୍ତି। ମାତ୍ର କିଛି ବିଦେଶ ଫେରନ୍ତା ନିଜର ଭୁଲ୍ ଠିକଣା ଓ ଫୋନ୍ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିବା ଜିଲ୍ଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଥିଲା। ହେଲେ ୪ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା। ମାତ୍ର ସେମାନେ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ନ ଥିବା ସ୍ପଷ୍ଟ ହୋଇଛି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଯଦି କେହି ଏଥିରେ ଆକ୍ରାନ୍ତ ଥିବା ଜଣାପଡ଼ନ୍ତି ତାହାର ମୁକାବିଲା କରିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏୟାର ସୁବିଧା ପୋର୍ଟାଲରେ ନିଜ ଆଡ଼ୁ ଫର୍ମ ପୂରଣ କରିବାର ବ୍ୟବସ୍ଥା ଥିବାରୁ ଅନେକ ନିଜର ଭୁଲଭାଲ ଠିକଣା ଦେଉଛନ୍ତି। ଯୋଗାଯୋଗ ସମୟରେ ଅନେକ ମଧ୍ୟ ରାଜ୍ୟକୁ ଫେରି ନ ଥିବା କହିଛନ୍ତି। ସ୍କୁଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଡା.ମିଶ୍ର କହିଛନ୍ତି ଯେ ସ୍କୁଲ ଅପେକ୍ଷା ହଷ୍ଟେଲରେ ପଜିଟିଭ୍ ରିପୋର୍ଟ ଅଧିକ ରହୁଛି। କିଛି ଶିକ୍ଷକ ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ ଶିକ୍ଷକ ଓ କର୍ମଚାରୀ ଟିକା ନେଇ ନାହାନ୍ତି ସେମାନଙ୍କୁ ଟିକା ନେବାକୁ କୁହାଯାଇଛି। ଏହାସହ କଲେଜରେ ୧୮ବର୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟିକା ନେବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ସ୍କୁଲ ଛାତ୍ରଛାତ୍ରୀଙ୍କ କରୋନା ଲକ୍ଷଣ ରହିଛି ସେମାନଙ୍କ ପିତାମାତା ସ୍କୁଲକୁ ଛାଡ଼ନ୍ତୁ ନାହିଁ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୪୭, କଟକ ୧୭, ମୟୂରଭଞ୍ଜ ୨୧, ସୁନ୍ଦରଗଡ଼ ୧୫ ଓ ଷ୍ଟେଟ୍ ପୁଲରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୧ହଜାର ୨୪୧କୁ ବୃଦ୍ଧି ପାଇଛି। ସେହିପରି ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୩୧ରେ ପହଞ୍ଚିଛି।
The post ରାଜ୍ୟକୁ ଆଶ୍ୱସ୍ତି: ୪ ଜଣଙ୍କଠାରେ ମିଳିଲାନି ‘ଓମିକ୍ରନ୍’ first appeared on Sambad.from କରୋନା | Sambad https://ift.tt/31LIxoY
0 Comments