ଖଣ୍ଡପଡ଼ା : କୋଭିଡ୍‌ରେ ମୃତକଙ୍କ ତଥ୍ୟ ଲୁଚାଇବାଠାରୁ ଆରମ୍ଭ କରି ମୃତକଙ୍କୁ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ପ୍ରଶାସନ କହିବାର ଅନେକ ନଜିର୍‌ ରହିଛି। ତେବେ ଏଭଳି ସ୍ଥିତିରେ ଜଣେ ଜୀବିତ ବ୍ୟକ୍ତିଙ୍କୁ କରୋନାରେ ମୃତ ଦର୍ଶାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ୍‌ ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମର ବିନୋଦ ସାହୁଙ୍କ କ୍ଷେତ୍ରରେ ଏଭଳି ଘଟିଛି।

କୋଭିଡ୍‌ରେ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ସୁପ୍ରି‌ମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଫଳରେ ଏନେଇ ମୃତକଙ୍କ ସମ୍ପର୍କୀୟଙ୍କୁ ଖୋଜାଚାଲିଛି। ଏନେଇ ପ୍ରତ୍ୟେକ ତହସିଲକୁ ମୃତକଙ୍କ ତାଲିକା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଆର୍‌ଆଇମାନେ ଏହି ଦାୟିତ୍ବରେ ରହିଛନ୍ତି। ତେବେ ମୃତ ତାଲିକାରେ ବିନୋଦଙ୍କ ନାମ ରହିଛି। ଏନେଇ ଯୋଗିଆପଲ୍ଲୀ ସରପଞ୍ଚଙ୍କୁ ଆର୍‌ଆଇ ଯୋଗାଯୋଗ କରିଥିଲେ। ତେବେ ବିନୋଦ ଜୀବିତ ଥିବା ଜଣାପଡ଼ିବା ପରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା। ଆର୍‌ଆଇ ବିନୋଦଙ୍କୁ ଭେଟି ତଦନ୍ତ ରିପୋର୍ଟ ତସସିଲଦାରଙ୍କୁ ପ୍ରଦାନ କରିଛନ୍ତି। ତାଲିକାରେ ଗତ ଜୁଲାଇ ୨ ତାରିଖରେ ବିନୋଦଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେ‌ବେ ବିନୋଦ କରୋନାରେ ଆକ୍ରାନ୍ତ ହୋଇଥିଲେ। ୧୦ ଦିନ ‌ହୋମ୍‌ ଆଇସୋଲେସନରେ ରହିଥିବା କହିଛନ୍ତି। ସେ କୌଣସି କୋଭିଡ୍‌ ହସ୍ପିଟାଲ୍‌ ମଧ୍ୟ ଯାଇନଥିବା କହିଛନ୍ତି। ତାଙ୍କୁ କିଭଳି ମୃତ ଦର୍ଶାଗଲା ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆର୍‌ଆଇ, ଖଣ୍ଡପଡ଼ା ତହସିଲଦାର ପାର୍ଥସାରଥୀ ହଁାସଦାଙ୍କୁ ‌ଫୋନ୍‌ କରାଯାଇଥିବା ବେଳେ ସେ ଫୋନ୍‌ ଉଠାଇ ନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି। ଆମେ କୌଣସି ତହସିଲକୁ ତାଲିକା ପଠାଇନଥିଲୁ, ରାଜ୍ୟ ସରକାରଙ୍କୁ ମୃତକଙ୍କ ତାଲିକା ପଠାଇଥିବା କହିଛନ୍ତି। ‌ତେବେ କେଉଁଠି କିଛି ଏଥିରେ ତ୍ରୁଟି ରହିଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ମୃତକଙ୍କ ତାଲିକା ନେଇ ରାଜ୍ୟ ଓ ନୟାଗଡ଼ ଜିଲ୍ଲା ପ୍ରଶାସନର ତାଲିକାରେ ତାଳମେଳ ନ ରହିବା ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ଘଟଣାକୁ ଉନ୍ମୋଚନ କରିଥିଲା ‘ସମ୍ବାଦ’। ବର୍ତ୍ତମାନ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମୃତ ଓ ଆକ୍ରାନ୍ତଙ୍କ ତାଲିକା ନେଇ ସନ୍ଦେହ ବଢ଼ିଛି।

The post ଜୀବିତ ବ୍ୟକ୍ତିଙ୍କୁ କୋଭିଡ୍‌ରେ ମୃତ ଦର୍ଶାଯାଇଛି first appeared on Sambad.

from କରୋନା | Sambad https://ift.tt/3oKfIlC