ଭୁବନେଶ୍ୱର : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଚିହ୍ନଟ ଦେଶରୁ ରାଜ୍ୟର କେଉଁ କେଉଁ ଜିଲ୍ଲାକୁ କେତେ ସଂଖ୍ୟକ ବିଦେଶ ଫେରନ୍ତା ଆସିଛନ୍ତି ତାହାର ସୂଚନା ମିଳିବ। କେନ୍ଦ୍ର ସରକାର ‘ଏୟାର ସୁବିଧା’ର ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଦେଶ ଫେରନ୍ତାଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ କିଛି ବିଦେଶ ଫେରନ୍ତା ପ୍ରଶାସନକୁ ସହଯୋଗ କରୁ ନ ଥିବା ନଜରକୁ ଆସିଛି। ଯାହାଫଳରେ ସରକାରଙ୍କ ପକ୍ଷରୁ ଅଷ୍ଟମ ଦିନରେ ହେବାକୁ ଥିବା ନମୁନା ପରୀକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଗତମାସର ୨୮,୨୯ ତାରିଖରେ ରାଜ୍ୟକୁ ୩୮୦ଜଣ ବିଦେଶରୁ ଆସିଛନ୍ତି। ଏସବୁ ବିଦେଶ ଫେରନ୍ତାଙ୍କ ତାଲିକା ଜିଲ୍ଲାମାନଙ୍କୁ ଦିଆଯାଇଛି। ହେଲେ ଗତମାସ ୩୦ ତାରିଖ ବାଦ୍ ଚଳିତମାସର ୩ଦିନ ଭିତରେ ଓଡ଼ିଶାକୁ କେତେଜଣ ଆସିଛନ୍ତି ତାହାର ସୂଚନା ନାହିଁ। ତେବେ ପୂର୍ବରୁ ଆସିଥିବା କିଛି ବିଦେଶ ଫେରନ୍ତାଙ୍କୁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ଫୋନ୍‌ରେ ସଂପୃକ୍ତ ବ୍ୟକ୍ତି ଏଠାରେ ରହୁ ନ ଥିବା କେହି ଜଣେ ସୂଚନା ଦେଇଛନ୍ତି। ଏପରିକି ବିଦେଶ ଫେରନ୍ତା ଜଣକ ବାଙ୍ଗାଲୋର ପଳାଇଥିବା ଉତ୍ତର ମିଳିଥିଲା। ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ବିଦେଶ ଫେରନ୍ତାଙ୍କୁ ଟ୍ରାକ୍ କରି ଆରଆରଟି ଜରିଆରେ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ହେଲେ ଲୋକମାନେ ଯଦି ସହଯୋଗ ନ କରିବେ ତାହାଲେ ସେମାନଙ୍କୁ ଟ୍ରାକ୍ କରିବା କଷ୍ଟକର ହୋଇପଡ଼ିବ ବୋଲି ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବିଦେଶରୁ ଆସୁଥିବା ଲୋକଙ୍କ ବିମାନ ବନ୍ଦରରେ ନମୁନା ପରୀକ୍ଷା ହୋଇଥିଲେ ହେଁ, ସେମାନଙ୍କ ପାଇଁ ୧୪ଦିନ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟକୁ ଫେରିବାର ଅଷ୍ଟମ ଦିନରେ ପୁଣିଥରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଯିବାକୁ ନିୟମ କରାଯାଇଛି। ହେଲେ ଲୋକମାନେ ପ୍ରଶାସନକୁ ସହଯୋଗ କରୁ ନ ଥିବାରୁ ସେମାନଙ୍କର ପରୀକ୍ଷା କରିବା କଷ୍ଟକର ହୋଇପଡ଼ିବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ‘ଏୟାର ସୁବିଧା’ ପୋର୍ଟାଲର ବ୍ୟବହାର ନେଇ ଅନୁମତି ଦିଆଯାଇଛି। ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ଆଇଡି ପ୍ରସ୍ତୁତ କରାଯାଇଛି। ଯାହାଫଳରେ ଓଡ଼ିଶାକୁ ଫେରିଥିବା ଲୋକଙ୍କ ସଂପର୍କରେ ଆବଶ୍ୟକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

The post ‘ଓମିକ୍ରନ୍’ ଭୟ: ପ୍ରଶାସନକୁ ସହଯୋଗ କରୁ ନାହାନ୍ତି ବିଦେଶ ଫେରନ୍ତା first appeared on Sambad.

from କରୋନା | Sambad https://ift.tt/3Ep5Sei