ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ, ଚଣ୍ଡୀଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଁ ମାମଲା ଚିହ୍ନଟ ହେବା ପରେ ଭାରତର ସମୁଦାୟ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ବୋଲି ସ୍ଥାନୀୟ ଅଧିକାରୀଙ୍କସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଦେଶର ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ କର୍ଣ୍ଣାଟକରେ ଚିହ୍ନଟ ହୋଇଥିଲା। ସେଥିରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ଡାକ୍ତର ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିଲେ।

ଆଜି ଦେଶରେ ଚିହ୍ନଟ ହୋଇଥିବା ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି, ଆନ୍ଧ୍ର ପ୍ରଦେଶର ଜଣେ ୩୪ ବର୍ଷିୟ ବ୍ୟକ୍ତି ଏବଂ ଚଣ୍ଡୀଗଡ଼ର ଜଣେ ୨୦ ବର୍ଷିୟ ତରୁଣ। ଉଭୟ ରାଜ୍ୟ ପାଇଁ ଏହା ହେଉଛି ପ୍ରଥମ ‘ଓମିକ୍ରନ୍‌’ ସଂକ୍ରମଣ ମାମଲା।

ଚଣ୍ଡୀଗଡ଼ରୁ ଚିହ୍ନଟ ହୋଇଥିବା ତରୁଣଜଣକ ଇଟାଲିରେ ବାସ କରନ୍ତି ଏବଂ ସେ ତାଙ୍କ ଆତ୍ମୀୟମାନଙ୍କୁ ଭେଟିବାକୁ ଆସି ୨୨ ତାରିଖରେ ଚଣ୍ଡୀଗଡ଼ ଆସିଥିଲେ। କ୍ବାରେଣ୍ଟିନ୍‌ରେ ରଖାଯିବା ପରେ ଡିସେମ୍ବର ୧ ତାରିଖରେ ତାଙ୍କ ନମୁନା ପରୀକ୍ଷାରୁ ସେ ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା ଏବଂ ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ କରାଯିବାରୁ ସେ ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ବୋଲି ସୁନିଶ୍ଚିତ କରାଯାଇଛି। ତାଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା ଏବଂ ସେ ଇଟାଲିରେ ଫାଇଜର୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିଲେ।

ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିଷୟରେ କୌଣସି ସୂଚନା ହସ୍ତଗତ ହୋଇନାହିଁ।

The post କର୍ଣ୍ଣାଟକ, ଚଣ୍ଡୀଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଁ ମାମଲା ଚିହ୍ନଟ; ୩୬ରେ ପହଞ୍ଚିଲା ଭାରତର ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.

from କରୋନା | Sambad https://ift.tt/3dKIPyQ