ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶରେ ରାଜ୍ୟର ପ୍ରଥମ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଆୟର୍ଲାଣ୍ଡ୍‌ରୁ ଫେରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କ ନମୁନାରେ ଏହି ଭେରିଏଣ୍ଟ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା ଏବଂ ଶନିବାର ଦିନ କରୋନାଭାଇରସ୍‌ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ରେ ‘ନେଗେଟିଭ୍‌’ ଆସିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିଦେଶରୁ ଆନ୍ଧ୍ର ପ୍ରଦେଶକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୫ଟିଯାକ ନମୁନା ‘ଗୁଣସୂତ୍ର-କ୍ରମ’ ନିର୍ଦ୍ଧାରଣ ପାଇଁ ପଠାଯାଇଛି। ସେଥିରୁ ଆସିଥିବା ୧୦ଟି ନମୁନାରୁ ମାତ୍ର ଗୋଟିଏରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଚିହ୍ନଟ ହୋଇଛି।

Image Courtesy of News18

ଆନ୍ଧ୍ର ପ୍ରଦେଶର ପ୍ରଥମ ‘ଓମିକ୍ରନ୍‌’ ମାମଲାର ଉକ୍ତ ୩୪ ବର୍ଷିୟ ବ୍ୟକ୍ତିଜଣକ ଆୟର୍ଲାଣ୍ଡ୍‌ରୁ ସିଧା ବିଶାଖାପାଟଣା ଆସି ନ ଥିଲେ। ପ୍ରଥମେ ସେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା। ତେଣୁ, ନଭେମ୍ବର ୨୭ ତାରିଖ ଦିନ ତାଙ୍କୁ ବିଶାଖାପାଟଣା ଯିବାକୁ ଅନୁମତି ମିଳିଥିଲା।

ପରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ରେ ତାଙ୍କର ପୁନର୍ବାର ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ କରାଯିବାରୁ ସେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ତେଣୁ, ଗୁଣସୂତ୍ର-କ୍ରମ ଚିହ୍ନଟ ପାଇଁ ତାଙ୍କର ନମୁନାକୁ ହାଇଦ୍ରାବାଦର ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ସେଲୁଲାର୍‌ ଆଣ୍ଡ୍‌ ମଲିକ୍ୟୁଲାର୍‌ ବାୟୋଲୋଜି’କୁ (ସିଏସ୍‌ଆଇଆର୍‌ସିସିଏମ୍‌ବି) ପଠାଯାଇଥିଲା। ସେମାନେ ତାଙ୍କ ନମୁନାକୁ ‘ଓମିକ୍ରନ୍‌ ପଜିଟିଭ୍‌’ ବୋଲି ଘୋଷଣା କରିଛନ୍ତି।

ଆନ୍ଧ୍ର ପ୍ରଦେଶର ପ୍ରଥମ ସଂକ୍ରମଣକୁ ମିଶାଇ ସମ୍ପ୍ରତି ଭାରତରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

The post ଆନ୍ଧ୍ର ପ୍ରଦେଶରେ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3EPYJ6O