ଢେଙ୍କାନାଳ: ୩୩ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟକୁ ପ୍ରଶାସନ ସିଲ୍ କରାଯାଇଛି। କଲେଜ ସହ ହଷ୍ଟେଲ୍ ବିଲ୍ଡିଂ ସିଲ୍ କରିଛି ପୌର ପ୍ରଶାସନ। ତାଗିଦ୍ ସତ୍ତ୍ୱେ ପିଲାମାନେ ହଷ୍ଟେଲ ଛାଡ଼ିଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇଛି। ଏହାଛଡ଼ା ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସହରର ୨ ନମ୍ବର ୱାର୍ଡ କୁଞ୍ଜକାନ୍ତ ଅଞ୍ଚଳରୁ ଗତକାଲି ଗୋଟିଏ ଦିନରେ ଏକକାଳୀନ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ ସାଇକୃପା ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟରୁ ଏହି ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ପ୍ରଶାସନର ମୁଣ୍ତବ୍ୟଥା ବଢିଯାଇଛି।
କେବଳ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ମହଲ ନୁହେଁ, ସମଗ୍ର ସହରବାସୀଙ୍କ ମଧ୍ୟରେ ଏଥିନେଇ ଭୟ ଖେଳିଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ କିପରି ପଢ଼ିବେ, ସେଥିନେଇ ଆଶଙ୍କା ପ୍ରକାଶ ପାଇଛି। କେଉଁଠାରୁ କିପରି ଏତେ ପିଲା ଏକାଥରେ ସଂକ୍ରମିତ ହେଲେ, ସେ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ କରାନଗଲେ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଯାଇଛି। ଏହି ଗୋଟିଏ ଅନୁଷ୍ଠାନକୁ ନେଇ ସମଗ୍ର କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।୧ ତାରିଖ ସକାଳ ୭ଟାରୁ ଆସନ୍ତା ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

The post ୩୩ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ ସାଇକୃପା ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟକୁ ସିଲ୍ କଲା ପ୍ରଶାସନ first appeared on Sambad.

from କରୋନା | Sambad https://ift.tt/3DhKDJM