କାଳିଆପାଣି : ନଗଡ଼ାକୁ କରୋନା ଛୁଇଁଛି। ଉପର ନଗଡ଼ା ଗାଁର ମୁଖିଆ କାମ ପ୍ରଧାନ(୬୫)କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ପ୍ରଧାନ ଗତ କିଛିଦିନ ଧରି କାଶୁଥିଲେ। ତାଙ୍କ ଦେହରେ ଜ୍ୱର ରହୁଥିଲା। ଆଜି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଆଣ୍ଟିଜେନ୍ ପରୀକ୍ଷଣରେ ସେ କରୋନା ପଜିଟିଭ୍‌ ଥିବା ସ୍ପଷ୍ଟ ହୋଇଛି। ତେବେ ତାଙ୍କ ପତ୍ନୀ, ‌ବୋହୂ ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନ ଓ ପୁଅ ବିକା ପ୍ରଧାନ ପ୍ରମୁଖଙ୍କର ପରୀକ୍ଷଣ ହୋଇଥିଲେ ମଧ୍ୟ ସେମାନେ କରୋନା ମୁକ୍ତ ଥିବା ସୂଚନା ମିଳିଛି।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ରୀ ପ୍ରଧାନଙ୍କୁ ଟାଟା ମେଡିକା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଗଡ଼ାରେ ୨ଥର ଟିକାକରଣ ଶିବିର ଅନୁଷ୍ଠିତ ହୋଇଥିଲେ ମଧ୍ୟ ଶ୍ରୀ ପ୍ରଧାନ ଆଦୌ ଟିକା ନେଇନଥିବା ଜଣାପଡ଼ିଛି। ନଗଡ଼ାର ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ବଳୟକୁ କରୋନା ଭୂତାଣୁ ଭେଦ କରିଥିବା ଜଣାପଡ଼ିବା ପରେ ସାଧାରଣରେ ସଂଶୟ ପ୍ରକାଶ ପାଇଛି। ଗତ ୨୦୨୦ ମାର୍ଚ ୧୨ ତାରିଖ ଆମ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାର ପାଖାପାଖି ୪ ମାସ ପ‌ରେ ଜୁଲାଇ ୮ ତାରିଖ କାଳିଆପାଣି ଖଣିଅଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

The post ନଗଡ଼ାକୁ ଛୁଇଁଲା କରୋନା: ଉପର ନଗଡ଼ା ଗାଁର ମୁଖିଆ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/31mEX4c