ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଅତି ଭୟାନକ ସ୍ଥିତି ଉପୁଜିଛି। ‘ଓମିକ୍ରନ୍‌ ’ ପ୍ରଜାତି ପାଇଁ ଏଠାରେ ଚତୁର୍ଥ ଲହର ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ଦ୍ବିଗୁଣା ‌ହୋଇଛି। ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶରୁ ୭ଟି ପ୍ରଦେଶରେ ଓମିକ୍ରନ୍‌ ପହଞ୍ଚି ସାରିଛି। ଓମିକ୍ରନ୍‌ ପାଇଁ ବିଶ୍ବବ୍ୟାପୀ ଭୟ ବଢ଼ିଛି। ବିଭିନ୍ନ ରାଷ୍ଟ୍ର ଯାତ୍ରା କଟକଣା କଡ଼ାକଡ଼ି କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ସମସ୍ତ ରାଷ୍ଟ୍ରମାନଙ୍କୁ ଓମିକ୍ରନ୍‌ ପାଇଁ ଅଧିକ ସଚେତନ ହେବାପାଇଁ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଏବେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଶୀର୍ଷ ବୈଜ୍ଞାନିକ ମିସେଲ ଗ୍ରୁମ୍‌ କହିଛନ୍ତି, ଓମିକ୍ରନ୍‌ ପାଇଁ ଦେଶରେ ଖୁବ୍‌ କମ୍‌ ସମୟ ମଧ୍ୟରେ ସଂକ୍ରମଣ ବଢ଼ିଗଲା। ଶିଶୁଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ସଂକ୍ରମଣ ପାଇଁ ଯଥେଷ୍ଟ ପ୍ରସ୍ତୁତ ହେବାକୁ ପଡ଼ିବ। ୪ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଦକ୍ଷିଣ ଆଫ୍ରିକାରେ ଶିଶୁଙ୍କ ପାଇଁ ବେଡ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନ୍‌କୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ଭାବେ ବିବେଚନା କରିଛନ୍ତି। ଓମିକ୍ରନ୍‌କୁ ନେଇ ଏବେ ବି ଅଧ୍ୟୟନ ଜାରି ରହିଛି।

ଜୟପୁର: ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୯ ଆକ୍ରାନ୍ତ
ଜୟପୁର: ଜୟପୁରରେ ଗୋଟିଏ ପରିବାରରୁ ୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ପରିବାରରେ ୪ ଜଣ ସଦସ୍ୟ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ ଜଣ ବ୍ୟକ୍ତିଙ୍କୁ ଆର୍‌ୟୁଏଚଏସ୍‌ (ରାଜସ୍ଥାନ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସ୍‌)ରେ ଭର୍ତ୍ତି କରାଯାଇଛି। ପରିବାରର ମୋଟ୍‌ ୯ ଜଣଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ମୁଖ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ଅଫିସର ଡାକ୍ତର ନରୋତ୍ତମ ମିଶ୍ର କହିଛନ୍ତି, ଉକ୍ତ ପରିବାରରୁ ମୋଟ୍‌ ୧୪ ଜଣ ସଦସ୍ୟଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଣ୍ଟାକ୍ଟ ଟ୍ରେସିଂ କରିବାପରେ ଜଣାପଡ଼ିଛି ଯେ, ପରିବାରର ୪ ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ରାଜସ୍ଥାନରେ ଏବେ ୨୧୩ ସକ୍ରିୟ ମାମଲା ରହିଛି। ଏଥିମଧ୍ୟରୁ ଜୟପୁରରେ ସର୍ବାଧିକ ୧୧୪ ସକ୍ରିୟ ମାମଲା ରହିଛି।

The post ଓମିକ୍ରନ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଚତୁର୍ଥ ଲହର first appeared on Sambad.

from କରୋନା | Sambad https://ift.tt/31sih2P