ବେଙ୍ଗାଲୁରୁ: ଭାରତରେ ଚିହ୍ନଟ ହୋଇଥିବା ଅନ୍ୟତମ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ୬୬ ବର୍ଷିୟ ଦକ୍ଷିଣ ଆଫ୍ରିକୀୟଙ୍କ ନେଗେଟିଭ୍‌ ଆସିଥିବା ପରୀକ୍ଷା ରିପୋର୍ଟର ତଦନ୍ତ କରାଇବା ପାଇଁ କର୍ଣ୍ଣାଟକ ସରକାର ଆଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି, ଏ ସଂକ୍ରାନ୍ତରେ ହାଇ ଗ୍ରାଉଣ୍ଡ୍‌ ଥାନାରେ ମାମଲା ରୁଜୁ କରିବା ଲାଗି ‘ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକେ’ କମିସନର୍‌ଙ୍କୁ ନିର୍ଦେଶ ଦିଆଯାଇଛି। ଜଣଙ୍କ ନମୁନାର ‘ପଜିଟିଭ୍’ ଓ ‘ନେଗେଟିଭ୍‌’ ରିପୋର୍ଟ ଆସିବା ସନ୍ଦେହଜନକ। ତେଣୁ, ଲ୍ୟାବ୍‌ର ତଦନ୍ତ କରାଯିବା ଆବଶ୍ୟକ। ସ୍ବାସ୍ଥ୍ୟ ବିଭାଗ ସହାୟତାରେ ତୁରନ୍ତ ତଦନ୍ତ କରିବା ଲାଗି ଆମେ ପୁଲିସ କମିସନର୍‌ଙ୍କୁ କହିଛୁ।

Image Courtesy of Deccan Herald

ତାଙ୍କର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। କିନ୍ତୁ, ତାଙ୍କ ନମୁନାର ‘ଗୁଣସୂତ୍ର-କ୍ରମ’ର ଫଳାଫଳ ପ୍ରକାଶ ପାଇ ନ ଥିବା ସତ୍ତ୍ବେ ସେ କିପରି ବିମାନ ଯୋଗେ ଦେଶ ବାହାରକୁ ଚାଲିଗଲେ, ସେଥିପ୍ରତି ସନ୍ଦେହ ଜାତ ହୋଇଛି। ପଜିଟିଭ୍‌ ରିପୋର୍ଟ ବାହାରିବାର ସପ୍ତାହକ ମଧ୍ୟରେ ଆଫ୍ରିକୀୟ ବ୍ୟକ୍ତିଜଣକ ଗୋଟାଏ ଘରୋଇ କୋଭିଡ୍‌ ସେଣ୍ଟର୍‌ରୁ ସଂଗ୍ରହ କରିଥିବା ନେଗେଟିଭ୍‌  ‘ଆର୍‌ଟି-ପିସିଆର୍‌’ ରିପୋର୍ଟ ଦେଖାଇ ବିମାନ ଯୋଗେ ଦୁବାଇ ଚାଲିଯାଇଛନ୍ତି।

ନଭେମ୍ବର ୨୦ ତାରିଖ ଦିନ ବ୍ୟକ୍ତିଜଣକ ବେଙ୍ଗାଲୁରୁରେ ପହଞ୍ଚିଥିଲେ ଏବଂ ନଭେମ୍ବର ୨୭ ତାରିଖରେ ଦେଶ ଛାଡ଼ି ଚାଲିଯାଇଥିଲେ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ସେ ପଜିଟିଭ୍ ବୋଲି ଟେଷ୍ଟ୍‌ ରିପୋର୍ଟରୁ ଜଣାପଡ଼ିବାରୁ ସେ ଅବସ୍ଥାନ କରୁଥିବା ହୋଟେଲ୍‌କୁ ସରକାରୀ ଡାକ୍ତର ଯାଇ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କୌଣସି ଲକ୍ଷଣ ନ ଥିବାରୁ ତାଙ୍କୁ ‘ଏକାନ୍ତବାସ’ରେ ରହିବାକୁ ଉପଦେଶ ଦିଆଯାଇଥିଲା। ‘ସମ୍ଭାବ୍ୟ ବିପଦ’ ଥିବା ଦେଶରୁ ଆସିଥିବାରୁ ‘ଭୂତାଣୁ ଗୁଣସୂତ୍ର-କ୍ରମ’ ପରୀକ୍ଷା ନିମନ୍ତେ ପୁନଶ୍ଚ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ନଭେମ୍ବର ୨୩ ତାରିଖ ଦିନ ସେ ଏକ ଘରୋଇ ଲ୍ୟାବ୍‌ରେ ତାଙ୍କ ନମୁନା ପରୀକ୍ଷା କରାଇ ‘ନେଗେଟିଭ୍‌’ ସାର୍ଟିଫିକେଟ୍‌ ପାଇଥିଲେ।

The post ୩ ଦିନରେ ‘ନେଗେଟିଭ୍‌’ ହୋଇଥିବା ‘ଓମିକ୍ରନ୍’ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକୀୟଙ୍କ ରିପୋର୍ଟର ତଦନ୍ତ କରିବ କର୍ଣ୍ଣାଟକ first appeared on Sambad.

from କରୋନା | Sambad https://ift.tt/31jJKDW