ଲକ୍ଷ୍ନୌ: ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀ, ସମାଜବାଦୀ ପାର୍ଟିର ଜାତୀୟ ସଚିବ ତଥା ମୁଖପାତ୍ର ରାଜୀବ ରାୟଙ୍କ ଉତ୍ତର ପ୍ରଦେଶର ମଉସ୍ଥିତ ବାସଭବନରେ ଆଜି ଆୟକର ବିଭାଗ ଚଢ଼ାଉ କରିଛି।

ବାରାଣସୀରୁ ଆସି ଆଜି ମଉରେ ପହଞ୍ଚିଥିବା ଆୟକର ଅଧିକାରୀମାନଙ୍କର ଏକ ଟିମ୍‌ ସକାଳ ପ୍ରାୟ ୭ଟା ବେଳେ ରାୟଙ୍କ ଘରେ ଖାନତଲାସ ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ହେବ ରାଜୀବ ରାୟ ଏବଂ ତାଙ୍କ ପରିବାରବର୍ଗଙ୍କୁ ଘରୁ ବାହାରକୁ ଛଡ଼ାଯାଇ ନାହିଁ।

ଚଢ଼ାଉ ବିଷୟରେ ଅବଗତ ହେବା ପରେ ‘ସମାଜବାଦୀ ପାର୍ଟି’ର କର୍ମୀମାନେ ରାୟଙ୍କ ବାସଭବନ ବାହାରେ ସମବେତ ହୋଇ ପାଟିତୁଣ୍ଡ କରୁଛନ୍ତି। ଆଇନଶୃଙ୍ଖଳ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସେଠାରେ ପୁଲି ମୁତୟନ କରାଯାଇଛି।

Image Courtesy of India Today

ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ରାଜୀବ ରାୟଙ୍କ ଘରେ ଚଢ଼ାଉ କରିଥିବା ଅନୁମାନ କରାଯାଉଛି।

ଏହା ବ୍ୟତିରେକେ, ଆୟକର ବିଭାଗ ମଣିପୁରୀର ‘ଆର୍‌ସିଏଲ୍‌ ଗ୍ରୁପ୍‌’ର ମାଲିକ ମନୋଜ ଯାଦବ ଓ ଲକ୍ଷ୍ନୌର ଜୈନେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଦୁହେଁ ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷଙ୍କର ଘନିଷ୍ଠ ବୋଲି କୁହାଯାଉଛି।

ମଣିପୁରୀରେ ଆୟକର ଅଧିକାରୀମାନେ ୧୨ଟି ଗାଡ଼ିରେ ଯାଇ ମନୋଜ ଯାଦବଙ୍କ ଘର କର୍ଡନ୍‌ କରିଛନ୍ତି। କାହାକୁ ଘରୁ ବାହାରିବାକୁ କି, ବାହାରୁ କାହାକୁ ଘରେ ପ୍ରବେଶକରିବା ଲାଗି ଅନୁମତି ଦିଆଯାଉନାହିଁ। ଆୟକର ଅଧିକାରୀମାନେ ଖାନତଲାସ କରିବା ସହ ଲୋକମାନଙ୍କୁ ପଚରାଉଚୁରା କରୁଛନ୍ତି।

ସେହିପରି, ଲକ୍ଷ୍ନୌର ଆମ୍ବେଦକର ପାର୍କ ଅଞ୍ଚଳରେ ଥିବା ଜୈନେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ତଲାସ ଚାଲିଛି।

The post ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀ ସମାଜବାଦୀ ପାର୍ଟିର ନେତା ରାଜୀବ ରାୟଙ୍କ ଘରେ ଆୟକର ବିଭାଗ ଚଢ଼ାଉ first appeared on Sambad.

from କରୋନା | Sambad https://ift.tt/3e19Iyz