ଭୁବନେଶ୍ବର: ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ସେ କହିଛନ୍ତି, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବୁ। ଆମେ ପ୍ରସ୍ତୁତ ରହିଛୁ। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ। ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି। ଆମେ ସତର୍କତା ବଢାଇଛୁ। ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ। ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି।


ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ କଣ୍ଟ୍ରିରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି। ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ। ଦ୍ଵିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି। ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଛି। ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ। ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ, ଜରୁରୀ ଔଷଧ ମହଜୁଦ ରଖାଯାଉଛି। ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି। ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦେଶ ଦିଆଯାଇଛି।

The post ତୃତୀୟ ଲହରର ମୁକାବିଲା ଲାଗି ଆମେ ପ୍ରସ୍ତୁତ: ଜନସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3GY1svR