
ଭୁବନେଶ୍ୱର : କୋଭିଡ୍ରେ ପ୍ରାଣ ହରାଇଥିବା ମୃତକଙ୍କ ସଂପର୍କୀୟଙ୍କୁ ଅନୁକମ୍ପା ରାଶି ପାଇଁ ରାଜ୍ୟରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ଜିଲ୍ଲାରେ କୋଭିଡ ମୃତକଙ୍କ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ହେଲେ ଏହାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକ କୋଭିଡ ଅନୁକମ୍ପା ରାଶି ହାତେଇବା ପାଇଁ ହୀନ ଉଦ୍ୟମ କରିବା ଆରମ୍ଭ କରିଛନ୍ତି। କିଏ ଅନ୍ଲାଇନ୍ ଆବେଦନ ପତ୍ରରେ ନିଜର ଟେଲର ରିସିପ୍ଟ ବା ସିଲେଇ ବିଲ୍ ଦେଇଛି ତ ଆଉ କିଏ ୨୦୧୦ ମସିହାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଅପଲୋଡ୍ କରିଛନ୍ତି। ଯାଞ୍ଚ କରାଯିବା ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ସହିତ ସେଗୁଡ଼ିକୁ ଖାରଜ କରି ଦିଆଯାଇଥିବା ସୂଚନା ମିଳିଛି।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ। ଚଳିତମାସରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଗତକାଲି ସୁଦ୍ଧା ରାଜ୍ୟରେ ଆବେଦନ ସଂଖ୍ୟା ୧୦,୬୩୬ ଟପିଛି। ରାଜ୍ୟ ସରକାର କରୋନାର ଉଭୟ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ସମୁଦାୟ ୮୪୧୩ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି। ଯେହେତୁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ରେ କୋଭିଡ ମୃତ୍ୟୁର ପରିସୀମାକୁ ବୃଦ୍ଧି କରିଛନ୍ତି ତେଣୁ ଆବେଦନପତ୍ର ସଂଖ୍ୟାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ୩୯୫୨ ଜଣଙ୍କୁ କୋଭିଡ ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଖୋର୍ଧା ଜିଲ୍ଲାରେ ବିଏମ୍ସିକୁ ମିଶାଇ ଏ ପର୍ଯ୍ୟନ୍ତ ୧୧୫୫ରୁ ଅଧିକ ଆବେଦନ ପତ୍ର ପହଞ୍ଚିଛି। ମାତ୍ର ରାଜ୍ୟରେ କେତେ ଜଣ କୋଭିଡ ମୃତକଙ୍କ ନିକଟତମ ସଂପର୍କୀୟ ଅନୁକମ୍ପା ରାଶି ପାଇଲେଣି ତାହା ସ୍ପଷ୍ଟ ହୋଇପାରିନାହିଁ।
ଅପରପକ୍ଷରେ ଅନ୍ଲାଇନ୍ ଆବେଦନ ପାଇଁ ରାଜ୍ୟ ସରକାର ସିଏପିଏସ୍ ଆପ୍ ପ୍ରସ୍ତୁତ କରିଛନ୍ତି। ଆରମ୍ଭ ଦିନଠାରୁ ଏଥିରେ ସମସ୍ୟା ରହିଛି। କେଉଁଠି ଠିକ୍ରେ ଖୋଲୁ ନାହିଁ ତ ଆଉ କାହାକୁ ଆବେଦନ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ଲାଇନ୍ ଆବେଦନ ପତ୍ରରେ ଯେଉଁମାନେ ଆବଶ୍ୟକ ତଥ୍ୟ ଦେଇ ନାହାନ୍ତି ସେମାନଙ୍କୁ ପୁଣିଥରେ ସଂଶୋଧନ କରି ପଠାଇବାକୁ କୁହାଯାଉଛି। ମାତ୍ର ପୁନର୍ବାର ଆବେଦନ କରିବା ପାଇଁ ଏହି ଆପ୍ରେ ପେଜ୍ ଖୋଲିବା ସମୟରେ ଏହା ପୂର୍ବରୁ ଆବେଦନ ହୋଇ ସାରିଥିବା ଦର୍ଶାଉଛି। ତେଣୁ ଦ୍ବିତୀୟ ବାର ଏହାକୁ ସଂଶୋଧନ କରିବା ସମ୍ଭବ ହେଉ ନ ଥିବା କିଛି ଆବେଦନକାରୀ ଅଭିଯୋଗ କରିଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। କିଛି ଖଳ ପ୍ରକୃତିର ଲୋକ ଅନ୍ଲାଇନ୍ରେ ସିଲେଇ ବିଲ୍ଠାରୁ ଆରମ୍ଭ କରି ପୁରୁଣା ମୃତ୍ୟୁ ସାର୍ଟିଫିକେଟ୍ ଅପଲୋଡ୍ କରିଛନ୍ତି। ଯାଞ୍ଚ ସମୟରେ ଏସବୁ ନଜରକୁ ଆସିଥିଲା। ମାତ୍ର ଯେଉଁ ଆବଶ୍ୟକ ତଥ୍ୟ ଦେଇ ନାହାନ୍ତି ସେମାନଙ୍କୁ ପୁନର୍ବାର ଆବେଦନ କରିବା ଲାଗି କୁହାଯାଉଛି।
The post କୋଭିଡ କ୍ଷତିପୂରଣ ଆବେଦନ ସଂଖ୍ୟା ୧୦ହଜାର ଟପିଲା first appeared on Sambad.from କରୋନା | Sambad https://ift.tt/3daJRUp
0 Comments