ଭୁବନେଶ୍ୱର: କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ନେଇ ସମଗ୍ର ବିଶ୍ୱକୁ ଚିନ୍ତା ଘାରିଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇସାରିଛି। ଆଜି ରାଜ୍ୟରେ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ୍‌ ଚିହ୍ନଟ ହେବା ପରେ ଆମ ସମସ୍ତଙ୍କର ପାଇଁ ଚିନ୍ତା ବଢ଼ିଛି। ଆମେରିକା ଓ ବ୍ରିଟେନ୍‌ରେ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଚାଲିଥିବାରୁ ଆମ ଦେଶରେ ମଧ୍ୟ ଏହା ବଢ଼ିବାର ଆଶଙ୍କା ରହିଛି। ତେଣୁ ସମୟ ଥିବା ପୂର୍ବରୁ ସତର୍କ ରହିବାର ଆବଶ୍ୟକତା ରହିଛି। ୨୦୨୦ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ସମୟରେ ସମସ୍ତେ ବ୍ୟକ୍ତିଗତ ଭାବେ ଯେପରି ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁଥିଲେ, ଏବେ ସେମିିତ ଚଳିପାରିଲେ ଭଲ। ବାହାରକୁ ଯିବା ପୂର୍ବରୁ ମାସ୍କକୁୁ ଭଲ ଭାବରେ ପିନ୍ଧିବା। ଜରୁରୀ କାମ ନଥିଲେ ବାହାରକୁ ନଗଲେ ଭଲ। ଯଦିଓ ଯିବା ତା’ହେଲେ ଜନଗହଳି ସ୍ଥାନରୁ ଦୂରରେ ରହିଲେ ଭଲ। ସାମାଜିକ ଦୂରତାକୁୁ ସବୁବେଳେ ମନେ ରଖିବା।

କୋଭିଡ଼ର ପ୍ରଥମ ଲହର ଯେତିକି ଡରାଇଥିଲା, ଦ୍ୱିିତୀୟ ଲହର ସେତିକି କନ୍ଦାଇଥିଲା। କାରଣ ଏଥିରେ କୋଭିଡ଼ଜନିତ ମୃତ୍ୟୁ ସଂଖା ଟିକେ ଅଧିକ ଥିଲା। ଉପରେ ନ ମାନିଲେ ବି ଭିତରେ ଆମେ ସମସ୍ତେ ମାନିବା ଯେ ପ୍ରଥମ ଲହରରେ ଆମେ ଯେତିକି ସତର୍କ ରହିଲେ ଦ୍ୱିତୀୟ ଲହର ସମୟେର ସେତିକି ରହିଲେ ନାହିଁ। ଆମର ଢିଲାପଣ ଯୋଗୁଁ କେବଳ ଆମେ ନୁହେଁ, ଆମ ପରିବାର ଓ ସାଙ୍ଗ ସାଥୀ, ସହକର୍ମୀ, ସାଇପଡ଼ିଶା ସମସ୍ତଙ୍କୁ ହଇରାଣ ହେବାକୁ ପଡ଼ିିଲା। ଏବେ ପୁଣି କୋଭିଡ଼ର ଆଉ ଏକ ଦ୍ରୁତ ରୂପ ‘ଓମିକ୍ରନ୍‌’ ଦେଶକୁ ମାଡ଼ି ଚାଲିଲାଣି। ଏହା କେତେ ଭୟଙ୍କର ବା ଏହାକୁ ପ୍ରତିରୋଧ କରିବା ପାଇଁ ଆଉ କିଛି ନୂଆ ଉପାୟ ଦରକାର କି ନାହିଁ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ତେବେ ଏକତା ସତ୍ୟ ଯେ ବର୍ଷ ବର୍ଷ ଧରି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବା ସରକାରଙ୍କର ଇଚ୍ଛା ନୁହେଁ, କାରଣ ଏହା ଦ୍ୱାରା ସାଧାରଣ ଗରିବ ଜନତାଙ୍କ ପେଟ ପାଟଣା ବାଧାପ୍ରାପ୍ତ ହେଉଛି। କିନ୍ତୁ କଣ୍ଟା ଭର୍ତ୍ତି ରାସ୍ତାରୁ କଣ୍ଟା ସଫା କରିବାକୁ ଯେତେ କଷ୍ଟ ପଡ଼ିବ, ଆମେ ଆମେ ଯଦି ଜୋତା ପିନ୍ଧି ସେହି ରାସ୍ତାରେ ଯିବା, ସେ ଖର୍ଚ୍ଚ ବହୁତ କମ୍‌ ପଡ଼ିବ। ଆମେ କଣ ଏତିକି ନିଜ ପାଇଁ କରିବା ନାହିଁ।

ଓମିକ୍ରନ୍‌ ଏବେ ରାଜ୍ୟରେ ଆରମ୍ଭ ହେଉଛି। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସତର୍କ ସୂଚନା ଦେଇଛନ୍ତି। ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ମାନିଲେ ଭଲ ରହିପାରିବେ। ଓମିକ୍ରନ୍‌ ଓ ତୃତୀୟ ଲହର ସଂପର୍କରେ ବ୍ୟାପିବା ପୂର୍ବରୁ ସତର୍କ ରହିଲେ ଆମେ, ଆମର ପରିବାର ଓ ଆମ ପାଖରେ ରହୁଥିବା ଲୋକେ ସୁରକ୍ଷିତ ରହିପାରିବେ।

The post ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ସତର୍କ ରହିବା, କଟକଣାକୁ ମାନିବା first appeared on Sambad.

from କରୋନା | Sambad https://ift.tt/3EaIMqM