ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ପ୍ରଜାତି ଓମିକ୍ରନ୍‌ ବିଶ୍ବବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଏହାକୁ ଭାରିଏଣ୍ଟ ଅଫ୍ କନସର୍ନ ଘୋଷଣା କରିବା ପରେ ଚିନ୍ତା ବଢ଼ିଯାଇଛି। ଯଦିଓ ଭାରତରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇନାହିଁ, ତଥାପି ସତର୍କ ରହିବାକୁ କୁହାଯାଉଛି। ଗତ କିଛିଦିନ ଭିତରେ ବିଦେଶ ବିଶେଷକରି ଯେଉଁ ଦେଶରେ ‘ଓମିକ୍ରନ୍’ ଚିହ୍ନଟ ହୋଇଛି ସେଠାରୁ କେତେଜଣ ବିଦେଶ ଫେରନ୍ତା ଓଡ଼ିଶା ଆସିଛନ୍ତି ତାହାର କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଏହାକୁ ନେଇ ରାଜ୍ୟ ଅନ୍ଧାରରେ ରହିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଫେରନ୍ତାଙ୍କୁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ୍ ଆଣିବାକୁ ହେବ। ବିମାନ ବନ୍ଦରରେ ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ୭ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ହେବ। ବିମାନବନ୍ଦର କର୍ତୃପକ୍ଷଙ୍କୁ ବିଦେଶ ଫେରନ୍ତା ସଂପର୍କରେ ତଥ୍ୟ ମଗାଯାଉଛି। କୋଭିଡ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ତେବେ ଭୂତାଣରୁ ମ୍ୟୁଟେସନ୍‌ ନେଇ ସତର୍କ ରହିବାକୁ ହେବ। ସେ ଆହୁରି କହିଛନ୍ତି ଯେ ଓମିକ୍ରନର ସଂକ୍ରମଣ କ୍ଷମତା, ରୋଗ କ୍ଷମତା ଓ ଏହାକୁ ଟିକା ଏହାର ମୁକାବିଲା କରିପାରିବ କି ନାହିଁ ତାହାର ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ନୂଆ ପ୍ରଜାତି ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି ଡା.ମିଶ୍ର କହିଛନ୍ତି। ନିକଟରେ ବିଭିନ୍ନ ସ୍କୁଲ/କଲେଜ ହଷ୍ଟେଲରେ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ କୋଭିଡ ନମୁନା ସଂଗ୍ରହ କରାଯାଇ ଜିନ୍ ଅନୁଶୀଳନ ପାଇଁ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ପଠାଯାଇଛି। ତେଣୁ ଜିନ୍ ଅନୁଶୀଳନ ପରେ ହିଁ ଏସବୁ ପଜିଟିଭ୍ ନମୁନାରେ କେଉଁ ଭାରିଏଣ୍ଟ ରହିଛି ତାହା ସ୍ପଷ୍ଟ ହୋଇପାରିବ। ପୂର୍ବରୁ ରାଜ୍ୟରେ ଡେଲ୍‌ଟା ଭାରିଏଣ୍ଟ ଅଧିକ ସକ୍ରିୟ ଥିବା ବେଳେ ଗୋଟିଏ ମାତ୍ର ଡେଲ୍‌ଟା ପ୍ଲସ୍ ନମୁନା ଚିହ୍ନଟ ହୋଇଥିଲା। ଗତକାଲି
ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓମିକ୍ରନ୍‌’କୁ ନେଇ ଜିଲ୍ଲାମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି।

ତେବେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ଓ ଜଣେ ବ୍ୟକ୍ତି ଏହି ଭାରିଏଣ୍ଟ ଚିହ୍ନଟ ହେଲେ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତାକାଲି ନିର୍ଦେଶାବଳୀ ଜାରି କରାଯିବ ବୋଲି ସୂଚନା ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୭ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ୯୪, ସମ୍ବଲପୁର ୧୬, ସୁନ୍ଦରଗଡ଼ ୧୨, ମୟୂରଭଞ୍ଜ ୯, ଯାଜପୁର ୮ ଓ ଷ୍ଟେଟ୍‌ ପୁଲରୁ ୨୨ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୮ହଜାର ୮୮୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୦୯ ରହିଛି। ଆଉ ୨୨୧ କୋଭିଡ ରୋଗୀ ସୁସ୍ଥ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧୧୨କୁ ହ୍ରାସ ପାଇଛି।

The post ବିଦେଶ ଫେରନ୍ତାଙ୍କ ଉପରେ ନଜର: ଓଡ଼ିଶାକୁ କେତେ ଫେରିଛନ୍ତି, ତଥ୍ୟ ନାହିଁ first appeared on Sambad.

from କରୋନା | Sambad https://ift.tt/3o3tU8K