ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଓମିକ୍ରୋନ୍‌ ଭାରିଆଣ୍ଟର କୌଣସି ମାମଲା ଏପର୍ଯ୍ୟନ୍ତ ଭାରତରେ ଚିହ୍ନଟ ହୋଇନାହିଁ ବୋଲି ସୋମବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୧.୫୨୯ କୋଭିଡ୍‌ ଭାରିଆଣ୍ଟ କିମ୍ବା ଓମିକ୍ରୋନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ଚିନ୍ତାର କାରଣ’ ଭାବରେ ଦର୍ଶା ଯାଇଥିଲା।

ତେବେ, ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତରେ କରୋନା ଭାଇରସର ନୂତନ ଓମିକ୍ରୋନ୍‌ ଭାରିଆଣ୍ଟର କୌଣସି ମାମଲା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ଏବଂ ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍‌ କନସୋର୍ଟିଆ ଆଇଏନଏସଏସିଓଜି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପଜିଟିଭ୍‌ ନମୁନାର ଜିନୋମିକ୍‌ ବିଶ୍ଳେଷଣର ଫଳାଫଳକୁ ତ୍ୱରାନ୍ଵିତ କରୁଛି।

ଅନେକ ଦେଶକୁ ବ୍ୟାପିଥିବା ସମ୍ଭାବ୍ୟ ଅଧିକ ସଂକ୍ରାମକ କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରୋନ୍‌କୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ, କେନ୍ଦ୍ର ସରକାର ରବିବାର ଦିନ ‘ବିପଦପୂର୍ଣ୍ଣ’ ଦେଶଗୁଡିକରୁ ଯାତ୍ରା କରୁଥିବା କିମ୍ବା ପରିବହନ କରୁଥିବା ଲୋକଙ୍କ ପାଇଁ କଠୋର ନିର୍ଦ୍ଦେଶାବଳୀ ପ୍ରବର୍ତ୍ତନ କରିଛନ୍ତି ଏବଂ ପରୀକ୍ଷଣ-ନିରୀକ୍ଷଣ ପଦକ୍ଷେପ ଏବଂ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କେନ୍ଦ୍ର ସରକାର ମଧ୍ୟ ଆନ୍ତର୍ଜାତୀୟ ବିମାନର ପୁନଃ ଚଳାଚଳ ଆରମ୍ଭର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ’ଆଟ୍‌ ରିସ୍କ’ (ନଭେମ୍ବର ୨୬, ୨୦୨୧ ଅନୁଯାୟୀ ଅପଡେଟ୍‌ ହୋଇଥିବା) ଭାବରେ ମନୋନୀତ ଦେଶଗୁଡ଼ିକ ମଧ୍ୟରେ ୟୁରୋପୀୟ ଦେଶ, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସୱାନା, ଚୀନ୍‌, ମରିସସ୍‌, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଏବଂ ଇସ୍ରାଏଲ ଅନ୍ତର୍ଭୁକ୍ତ ରହିଛି।

The post ଭାରତରେ ଏପର୍ଯ୍ୟନ୍ତ ‘ଓମିକ୍ରୋନ୍‌’ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ: ସରକାର  first appeared on Sambad.

from କରୋନା | Sambad https://ift.tt/3FZYw1k