ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ମହାରାଷ୍ଟ୍ରରେ ଜନୈକ ବ୍ୟକ୍ତି କରୋନା ଭାଇରସ୍‌ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମିତ ଥାଇ କୋଭିଡ- ୧୯ ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିବା ସଂପୃକ୍ତ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏବେ ଏକ କୋଭଡ କେୟାର ସେଣ୍ଟରରେ ଅଲଗା ରଖାଯିବା ସହ ତାଙ୍କର ବ୍ୟାପକ ପରୀକ୍ଷା ନିରୀକ୍ଷା ଚାଲିଛି। ସଂପ୍ରତି ତମାମ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ‘ଓମିକ୍ରନ୍‌’ରେ ବ୍ୟକ୍ତି ଜଣକ ଆକ୍ରାନ୍ତ କି ନୁହଁ ତାହା ଜାଣିବା ପାଇଁ ଏହି ସବୁ ପରୀକ୍ଷା ଚାଲିଛି।

ସୋମବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡ୍‌ ଭାଇରସର ଏହି ନୂତନ ’ଓମାଇକ୍ରୋନ୍‌’ ଭାରିଆଣ୍ଟ ଅଧିକ ମାତ୍ରାରେ ସଂକ୍ରମଣଶୀଳ ହୋଇଥିବାରୁ ଏହାକୁ ନେଇ ଏବେ ସବୁ ସ୍ତରରୁ ଚିନ୍ତା ପ୍ରକାଶ ପାଇଛି। ସେଥିପାଇଁ ତାଙ୍କ ନମୁନାକୁ ଜିନୋମ୍‌ ସିକ୍ୱେନ୍‌ସିଂ ପାଇଁ ପଠାଯାଇଛି।

କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ (କେଡିଏମସି) ମହାମାରୀ ନିୟନ୍ତ୍ରଣ ଅଧିକାରୀ ଡକ୍ଟର ପ୍ରତିଭା ପାନପାଟିଲ କହିଛନ୍ତି ଯେ ଏହି ଫଳାଫଳ ସାତ ଦିନ ପରେ ଜଣାପଡିବ। ସେ ଭାଇରସର ’ଓମିକ୍ରୋନ୍‌’ ଭାରିଆଣ୍ଟରେ କେଉଁଠାରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଚିନ୍ତାର କାରଣ ଭାବରେ ଚିହ୍ନଟ କରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। କେଡିଏମସି କମିଶନର ଡକ୍ଟର ବିଜୟ ସୂର୍ଯ୍ୟବଂଶୀ କଲ୍ୟାଣ-ଡୋମ୍ବିଭଲି ଟାଉନସିପର ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଏହାକୁ ନେଇ କେହି ଭୟଭୀତ ନ ହୁଅନ୍ତୁ ଏବଂ କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲକୁ କଠୋର ଭାବରେ ପାଳନ କରନ୍ତୁ।
ଉଲ୍ଲେଖଯୋଗ୍ୟ, ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର ଭାବେ କାର୍ଯ୍ୟରତ ଏହି ବ୍ୟକ୍ତି ଜଣକ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା, ଦୁବାଇ ଏବଂ ଦିଲ୍ଲୀରୁ ଯାତ୍ରା କରିବା ପରେ ଥାନେ ଜିଲ୍ଲାର ଡୋମ୍ବିଭଲି ସହରରେ ଆସି ପହଞ୍ଚିଥିଲେ।

The post ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମିତ ରୂପେ ଚିହ୍ନଟ ହେବା ପରେ ‘ଓମିକ୍ରୋନ୍‌’କୁ ନେଇ ବଢ଼ିଲା ଭୟ first appeared on Sambad.

from କରୋନା | Sambad https://ift.tt/3xCNnR4