
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଦସ୍ତକ ଅଭିଯାନ’କୁ ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଦେଶରେ କୋଭିଡ ୧୯ ଟିକାର ‘ସୁରକ୍ଷା କବଚ’ରୁ ଯେପରି ଜଣେ ହେଲେ ଯୋଗ୍ୟ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ଏବଂ ବହୁ-ଅଂଶୀଦାର ଆଧାରିତ ପ୍ରୟାସ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଥିବା ପ୍ରତିଟି ପରିବାର ନିକଟରେ ପହଞ୍ଚି ଲୋକମାନଙ୍କୁ ଦୁଇଟି ଡୋଜ୍ ଟିକା ନେବାକୁ ଅନୁପ୍ରାଣିତ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଷେଧାତ୍ମକ ଓ ପରିଚାଳନାଗତ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ୭୯ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା କୋଭିଡ ୧୯ ଟିକାର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ୩୮ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ୧୨ କୋଟି ହିତାଧିକାରୀ କୋଭିଡ ୧୯ ଟିକାର ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ‘ହର ଘର ଦସ୍ତକ’ ଅଭିଯାନ ସମୟରେ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଜନସଂଖ୍ୟା ଯେପରି ପ୍ରଥମ ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସେ ନିବେଦନ କରିଥିଲେ। ସେହିପରି ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ସେମାନଙ୍କୁ ଦ୍ବିତୀୟ ଡୋଜ୍ ନେବା ଲାଗି ଉତ୍ସାହିତ କରିବା ଲାଗି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରଣନୀତି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ । କୋଭିଡକୁ ପ୍ରତିହତ କରିବା ଲାଗି ଜନ ସ୍ୱାସ୍ଥ୍ୟ ପଦକ୍ଷେପର ନିୟନ୍ତ୍ରଣ ଓ ପରିଚାଳନା ଉପରେ ଆଲୋଚନା କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇ ଦେଇଥିଲେ ଯେ କୋଭିଡ ୧୯ ମହାମାରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଯାଇନାହିଁ। ବିଶ୍ବସ୍ତରରେ କୋଭିଡ ମାମଲା ବୃଦ୍ଧି ପାଉଛି। ସିଙ୍ଗାପୁର, ବ୍ରିଟେନ, ରୁଷ, ଚୀନରେ ୮୦ ପ୍ରତିଶତ ଟିକାକରଣ ସତ୍ତ୍ବେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଟିକାକରଣ ସହିତ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋର ଦେଇଥିଲେ।
ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ମନୋହର ଅଗ୍ନାନୀ, ଅତିରିକ୍ତ ସଚିବ ଏବଂ ଏନଏଚଏମ ମିଶନ ନିର୍ଦ୍ଦେଶକ ବିକାଶ ଶୀଲ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଆରତୀ ଆହୁଜା, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଲବ ଅଗ୍ରଓ୍ବାଲ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
The post “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.
from କରୋନା | Sambad https://ift.tt/3kshgOG
0 Comments