ଭୁବନେଶ୍ବର: ଦେଶରେ ଏବେ କରୋନା ସଂକ୍ରମଣ କମ ରହୁଥିବା ବେଳେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମ ରହିଛି। ତେବେ ଏହା ଯେମିତି ଆଗାମୀ ଦିନରେ ଆହୁରି କମିବ ସେ ନେଇ ସରକାର ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି। ତେବେ ରାଜ୍ୟରେ ଏବେ କରୋନାସ୍ଥିତି କିଭଳି ରହିଛି ସେ ବିଷୟରେ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି ଯେ, ଆଖ ପାଖ ଦେଶରୁ କୋଭିଡ ସଂକ୍ରମିତ ଆମ ଦେଶକୁ ଆସିବା କାରଣରୁ ଆମ ଦେଶ ବି ପ୍ରଭାବିତ ହେଉଥିଲା। ହେଲେ ‌ଏବେ କରୋନା ସଂକ୍ରମିତ ଅଧିକ ଥିବା ଦେଶକୁ ଯାତାୟତ କରିବା ଉପରେ କଟକଣା ଲାଗିଥିବାରୁ ସଂକ୍ରମଣ କମ ରହୁଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ସଂକ୍ରମଣ କମ ହେବା ସହ ଏବେ ‘ଏଣ୍ଡେମିକ୍’ ଆଡକୁ ଗତି କରୁଛି କରୋନା। ତେବେ କୋଭିଡ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଆସିପାରେ। ବିଦେଶରେ ନୂଆ ଭାରିଆଣ୍ଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ ରହିଛି। ନୂଆ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ନିରନ୍ତର ପରୀକ୍ଷା କରାଯାଉଛି। ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ ଏବଂ ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ। ଶିକ୍ଷାନୁଷ୍ଠାନରେ ଏବେ କୋଭିଡ କଟକଣା କଡାକଡି କରାଯାଇଥିବା ସହ ଆମର ପ୍ରତି ଅଞ୍ଚଳରେ ସର୍ଭିଲାନ୍ସ ଟିମ ରହିଛି।

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଗୋଟେ ମାସର ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ, ଏବେ ଡାକ୍ତରଖାନାରେ ରୋଗୀ ସଂଖ୍ୟା କମୁଛି ଐବଂ ମୃତ୍ୟୁସଂଖ୍ୟା ମଧ୍ୟ କମୁଛି। ଡବ୍ଲୁଏଚଓ କହିଛି ଯେ, ଏ‌ବେ କରୋନା ସଂକ୍ରମଣ ‘ଏଣ୍ଡେମିକ୍’  ଆଡକୁ ଗତି କରୁଛି ଏବଂ ଗମ୍ଭୀର ରୋଗୀଙ୍କ ସଂଖ୍ୟା କମୁଛି। ସୁନ୍ଦରଗଡ଼ରେ ୫୦ରୁ ଅଧିକ ସଂକ୍ରମଣ ହେବା ତୃତୀୟ ଲହର ନୁହେଁ, ଏହା ଏକ ଘଟଣା ମାତ୍ର। ଗୋଟେ ଦିନର ସଂକ୍ରମଣକୁ ଦେଖି କିଛି ବି ପୂର୍ବାନୁମାନ କରିପାରିବା ନାହିଁ। ସ୍କୁଲ ଖୋଲିବା ସହ ପିଲାମାନଙ୍କ ପାଇଁ ଶିକ୍ଷା ଆବଶ୍ୟକ। ଯେଉଁମାନଙ୍କର କରୋନା ଲକ୍ଷଣ ରହୁଛି ସେମାନେ ସ୍କୁଲ ନଆସନ୍ତୁ। ହେଲେ ଲକ୍ଷଣ ନଥିବା ପିଲା ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଏବଂ ସଚେତନ ରହି ପାଠ ପଢ଼ିପାରିବେ।

The post ନୂଆ ଭାରିଆଣ୍ଟ ଆସିନଥିବାରୁ ‘ଏଣ୍ଡେମିକ୍’ ଆଡ଼କୁ ଗତି କରୁଛି କରୋନା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର first appeared on Sambad.

from କରୋନା | Sambad https://ift.tt/3cJmQIc