
ଜିନିଭା: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ତଥା ନିକଟରେ ଆବିଷ୍କୃତ ହୋଇଥିବା କୋଭିଡ୍-୧୯ ‘ବି.୧.୧.୫୨୯’ ଷ୍ଟ୍ରେନ୍କୁ ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଓମାଇକ୍ରୋନ୍’ ନାଁ ଦେବା ସହ ତାହାକୁ ‘ଚିନ୍ତାଜନକ ଭେରିଏଣ୍ଟ୍’ ବର୍ଗିକରଣ କରିଛି।
ଉପରୋକ୍ତ ବର୍ଗିକରଣ ‘ଓମାଇକ୍ରୋନ୍’କୁ କୋଭିଡ୍-୧୯ ଭେରିଏଣ୍ଟ୍ର ସବୁଠୁ ଅଧିକ ଅସୁବିଧାସୃଷ୍ଟିକାରୀ ପ୍ରଜାତି ତାଲିକାଭୁକ୍ତ କରିଛି। ପୂର୍ବରୁ ‘ଡେଲ୍ଟା’ ଏବଂ ତା’ର ଦୁର୍ବଳ ପ୍ରଜାତି ‘ବିଟା’ ଏବଂ ‘ଗାମା’କୁ ମଧ୍ୟ ଉପରୋକ୍ତ ପ୍ରଜାତି ତାଲିକାଭୁକ୍ତ କରାଯାଇଥିଲା।
ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି, କୋଭିଡ୍-୧୯ ମହାମାରୀର ପରିବର୍ତ୍ତିତ ତଥା କ୍ଷତିକାରକ ବୈଶିଷ୍ଟ୍ୟ ସଂକ୍ରାନ୍ତ ପ୍ରମାଣକୁ ଆଧାର କରି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ବି.୧.୧.୫୨୯’କୁ ‘ଭେରିଏଣ୍ଟ୍ ଅଫ୍ କନ୍ସର୍ଣ୍ଣ’ ବର୍ଗୀଭୁକ୍ତ କରିବା ସହ ତା’ର ନାଁ ଦେଇଛି ‘ଓମାଇକ୍ରୋନ୍’।
‘ଓମାଇକ୍ରୋନ୍’ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ କିଛି ସପ୍ତାହ ଲାଗିବ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି। ଏହାର ସଂକ୍ରମଣଶୀଳତା, ସଂକ୍ରମଣ ଜଟିଳତା ଏବଂ ଏହା ଉପରେ କୋଭିଡ୍ ଟିକାର ପ୍ରଭାବ, ପରୀକ୍ଷା ଓ ଚିକିତ୍ସା ଆଦି ବିଷୟରେ ଅଧ୍ୟୟନ କରାଯିବ।
ଏହି ବିବର୍ତ୍ତିତ ଭୂତାଣୁ ବିଷୟରେ ବୁଧବାର ଦିନ ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ ସୂଚନା ଦିଆଯାଇଥିଲା। ‘ଓମାଇକ୍ରୋନ୍’ର ପ୍ରଥମ ନମୁନା ନଭେମ୍ବର ୯ ତାରିଖରେ ସଂଗ୍ରହ କରାଯାଇଥିବା କୁହାଯାଉଛି। ‘ଓମାଇକ୍ରୋନ୍’ ଭୂତାଣୁର ବହୁସଂଖ୍ୟକ ବିବର୍ତ୍ତିତ ପ୍ରଜାତି ଥିବାରୁ ଏହାକୁ ଚିନ୍ତାଜନକ ଭୂତାଣୁ ବୋଲି ବିବେଚନା କରାଯାଉଛି।
‘ଓମାଇକ୍ରୋନ୍’ର ବିସ୍ତାର ବେଗ ମନ୍ଥର କରିବା ଲାଗି ଶୁକ୍ରବାର ଦିନ ବିଭିନ୍ନ ଦେଶ ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧ କରିଛନ୍ତି। ଏହି ଭୂତାଣୁ ସଂକ୍ରମଣ ଆଶଙ୍କାରେ ଷ୍ଟକ୍ ମାର୍କେଟ୍ ଏବଂ ତୈଳ ଦର ମଧ୍ୟ ହ୍ରାସ ପାଉଛି। ବୈଶ୍ବିକ ଆର୍ଥିକ ସୁଧାର ଉପରେ ଏହା କୁପ୍ରଭାବ ପକାଇବା ବୋଲି ଭୟ ସଞ୍ଚାର ହୋଇଛି।
The post ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ମାରାତ୍ମକ ‘କରୋନାଭାଇରସ୍’ର ନାଁ ‘ଓମାଇକ୍ରୋନ୍’ first appeared on Sambad.from କରୋନା | Sambad https://ift.tt/315zIWK
0 Comments