ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ୪୫ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। କରୋନା ଟିକାକରଣ କମ୍‌ ଥିବା ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାପାଳଙ୍କ ସହ ମୋଦୀ ଆଲୋଚନା କରିବା ସହିତ ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଦ୍ବିତୀୟ ଡୋଜ୍‌ ଟିକା ସମ୍ପୂର୍ଣ୍ଣ କରିବା‌ ଉପରେ ମୋଦୀ ଜୋର୍‌ ଦେଇଛନ୍ତି। ଭର୍ଚୁଆଲ ବୈଠକରେ ମୋଦୀ କହିଛନ୍ତି, ଆଜି ପର୍ଯ୍ୟନ୍ତ ଲୋକ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଉଥିଲେ। କିନ୍ତୁ ଏବେଠାରୁ ପ୍ରତି ଘରେ ଟିକା ଦିଆ‌ଯିବ। କର୍ତ୍ତୃପକ୍ଷମାନେ ଏଣିକି ପ୍ରତି ଘରକୁ ଘର ବୁଲି ଟିକା ଦେବେ। କେନ୍ଦ୍ର ସରକାରଙ୍କ ‘ହର ଘର ଦସ୍ତକ ’ ଅଭିଯାନ ଅଧୀନରେ ପ୍ରତି ଘରକୁ ଘର ବୁଲି ଟିକା ଦିଆଯିବ। ଯେଉଁ ଘରେ ଲୋକ ୨ଟି ଯାକ ଟିକା ନେଇନାହାନ୍ତି ସେମାନଙ୍କ ଘରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପହଞ୍ଚି ଟିକା‌ ଦେବେ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ଧାର୍ମିକ ନେତା ଏବଂ ଏନ୍‌ସିସି, ଏନଏସଏସ୍‌ ପରି ଯୁବ ସଂଗଠନର ସହଯୋଗ ନେବାପାଇଁ ମୋଦୀ କହିଛନ୍ତି। ୫୦ ପ୍ରତିଶତରୁ କମ୍‌ ପ୍ରଥମ ଡୋଜ୍‌ ଟିକା ଦିଆଯାଇଥିବା ଜିଲ୍ଲାମାନଙ୍କରେ ମୋଦୀ ଆଜି ଟିକାକରଣ ସମୀକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅରୁଣାଚଳପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତାମିଲନାଡ଼ୁର ୪୦ରୁ ଅଧିକ ଜିଲ୍ଲାରେ ଟିକାକରଣ କମ୍‌ ରହିଛି। ମୋଦୀ କହିଛନ୍ତି, ମାଗଣା ଟିକାକରଣ ଅଭିଯାନ ଅଧୀନରେ ଦିନକୁ ପ୍ରାୟ ୨.୫ କୋଟି ଡୋଜ୍‌ ଟିକା ଦିଆଯାଇଛି। ଏବେ ଆମର ଉଦ୍ଦେଶ୍ୟ ଘ‌ରେ ଘରେ ଟିକା ଦେବା। ପ୍ରତି ଗ୍ରାମ ଏବଂ ପ୍ରତି ସହର ଉପରେ ଫୋକସ୍‌ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ପ୍ରତି ଗ୍ରାମ ପାଇଁ ଯଦି ପୃଥକ୍‌ ରଣନୀତି କରିବାକୁ ପଡ଼ୁଛି ତେବେ କରାଯାଉ। ୨୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଠନ କରିବା ପାଇଁ ମୋଦୀ କହିଛନ୍ତି। ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା କଟକଣା ପାଳନ ପାଇଁ କହିଛନ୍ତି। ରୋଗ ଏବଂ ଶତ୍ରୁ ସହ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼େ । ଆମେ ଢିଲା ହୋଇଗଲେ ଚଳିବନି। ସତର୍କତା ଅବଲମ୍ବନ କରିବା ପାଇଁ ମୋଦୀ କହିଛନ୍ତି। ତେବେ ଘରେ ଘରେ ଟିକା ଦେବା ସହ ମୋଦୀ ମଧ୍ୟ ଦ୍ବିତୀୟ ଡୋଜ୍‌ ଟିକା ଦେବା ଉପରେ ଗୁରୁତ୍ବ ଦେଇଛନ୍ତି। ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଓପି୨୬ ବୈଠକରୁ ଫେରିବା ପରେ ଟିକାକରଣ ନେଇ ସମୀକ୍ଷା ବୈଠକ କରିଛନ୍ତି।

୫ ସପ୍ତାହ ଧରି ୟୁରୋପରେ ସଂକ୍ରମଣ ବଢ଼ୁଛି
ଜେନେଭା : ଲଗାତାର ୫ ସପ୍ତାହ ଧରି ‌ ୟୁରୋପରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶ୍ବର ଏକମାତ୍ର ଅଞ୍ଚଳ ଭାବେ ଏବେ କେବଳ ୟୁରୋପରେ ସଂକ୍ରମଣ ବଢ଼ୁଛି। ମହାମାରୀ ସଂକ୍ରାନ୍ତରେ ସାପ୍ତାହିକ ରିପୋର୍ଟ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ପୂର୍ବ ସପ୍ତାହ ତୁଳନାରେ ୟୁରୋପ୍‌ରେ ନୂଆ ସଂକ୍ରମଣ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ବିଶ୍ବର ଅନ୍ୟ ସ୍ଥାନମାନଙ୍କରେ ସଂକ୍ରମଣ କମୁଛି। ମଧ୍ୟପ୍ରାଚ୍ୟରେ ସବୁଠୁ କମ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମଧ୍ୟପ୍ରାଚ୍ୟରେ ସଂକ୍ରମଣ ମାମଲାରେ ୧୨ ପ୍ରତିଶତ ହ୍ରାସ ହୋଇଥିବାବେଳେ ଦକ୍ଷିଣପୂର୍ବ ଏସିଆ ଏବଂ ଆଫ୍ରିକାରେ ସଂକ୍ରମଣ ୯ ପ୍ରତିଶତ ହ୍ରାସ ହୋଇଛି। ବିଶ୍ବବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଛି। ୟୁରୋପ୍‌ରେ ଦୈନିକ ସଂକ୍ରମଣ ମାମଲା ଏବେ ସବୁଠୁ ଅଧିକ ରହିଛି। ୟୁରୋପରେ ପ୍ରତି ୧ ଲକ୍ଷରେ ୧୯୨ ନୂଆ ମାମଲା ଚିହ୍ନଟ ହେଉଥିବାବେଳେ ଆମେରିକାରେ ପ୍ରତି ୧ ଲକ୍ଷରେ ୭୨ ନୂଆ ମାମଲା ଚିହ୍ନଟ ହେଉଛି। ବିଶ୍ବରେ ଅନେକ ଗରିବ ରାଷ୍ଟ୍ର ବିପଦରେ ଥିବା ଜନସଂଖ୍ୟାକୁ ଟିକାକରଣ କରିପାରିନାହାନ୍ତି। ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିକାକରଣରେ ସମାନତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।

୧୨ ମାସ ରହିପାରିବ କୋଭାକ୍ସିନ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାକୁ ପ୍ରସ୍ତୁତି ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ ସାଇତି ରଖିପାରିବାର ଅନୁମତି ମିଳିଛି ବୋଲି କମ୍ପାନି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ସ୍ଥାୟିତ୍ବ ତଥ୍ୟକୁ ଆଧାର କରି କେନ୍ଦ୍ରୀୟ ଔଷଧ ମାନକ ନିୟାମକ ସଂଗଠନ (ସିଡିଏସ୍‌ସିଓ) ଏହି ଅନୁମତି ଦେଇଛି। କୋଭାକ୍ସିନ ଯେତେବେଳେ ପ୍ରଥମେ ଜରୁରୀ ବ୍ୟବହାର ଅନୁମତି ପାଇଥିଲା ସେତେବେଳେ ଏହାକୁ ଛଅମାସର ସେଲ୍‌ଫ ଲାଇଫ୍‌ ବା ସଂରକ୍ଷଣ ଅନୁମତି ଦିଆଯାଇଥିଲା। ଅପରପକ୍ଷେ କୋଭିସିଲ୍‌ଡର ସେଲ୍‌ଫ ଲାଇଫ୍ (ବୈଧତା) ଛଅରୁ ନଅ ମାସକୁ ବୃଦ୍ଧି କରାଯାଇଛି।

ଆରୋଗ୍ୟ ହାର ୯୮.୨୨%
ନୂ୍ଆଦିଲ୍ଲୀ,: ଦେଶରେ ଗତ ୨୪ ଘଣ୍ଟାରେ ୧୧,୯୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ଏବଂ ୩୧୧ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୧୪,୧୫୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର ୯୮.୨୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୬,୯୭,୭୪୦ ରହିଛି। ତେବେ ସକ୍ରିୟ ମାମଲା ୧,୫୧,୨୦୯ ଅଛି। ୨୫୨ ଦିନରେ ଏହା ସବୁଠୁ କମ୍‌। ଦେଶରେ ଦୈନିକ ପଜିଟିଭ୍‌ ହାର ଲଗାତାର ୩୦ ଦିନ ଧରି ୨ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୧୮ ପ୍ରତିଶତ ରହିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ୮୩.୯୭ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

The post ଘରେ ଘରେ ଟିକା: ୪୫ ଜିଲ୍ଲାର ଟିକାକରଣ ସମୀକ୍ଷା କଲେ ମୋଦୀ first appeared on Sambad.

from କରୋନା | Sambad https://ift.tt/3BI7wWi