ନୂଆଦିଲ୍ଲୀ: ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍‌ ଦ୍ବାରା ପ୍ରସ୍ତୁତ ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନ କେବଳ ୫୦ ପ୍ରତିଶତ ପ୍ରଭାବୀ ବୋଲି ଦିଲ୍ଲୀର ଦୁଇଟି ହସ୍ପିଟାଲରେ ହୋଇଥିବା ବାସ୍ତବ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି। କୋଭାକ୍ସିନ ଭାଇରସ୍‌ର ଗୁରୁତର ପ୍ରଭାବରୁ ରୋଗୀଙ୍କୁ ସୁରକ୍ଷା ଦେଉଥିଲେ ମଧ୍ୟ ଉଭୟ ଡୋଜ ନେଇଥବା ଲୋକଙ୍କୁ ମଧ୍ୟ ଡେଲଟା ପ୍ରଜାତି ପୁନଃ ସଂକ୍ରମଣ କରିବା ଆଶଙ୍କା ରହୁଛି । ଦୁଇଟି ଡୋଜ କୋଭାକ୍ସିନ ନେଇଥିବା ଲୋକେ ମଧ୍ୟ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କୁହାଯାଇଛି। ଏହି ଅଧ୍ୟୟନ ଆଇଏନ୍‌ଏସ୍‌ଏସିଓଜି କନ୍‌ସୋର୍ଟିୟମ, ସିଏସ୍‌ଆଇଆର ଏବଂ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ବାରା ମିଳିତ ଭାବେ ହୋଇଥିଲା।

ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରରେ କୋଭିଡ୍‌ ବୁଷ୍ଟର ଡୋଜ୍‌କୁ ଅନୁମତି ମିଳିଛି। ଆମେରିକା ଏବଂ ବ୍ରିଟେନ୍‌ ପରି ରାଷ୍ଟ୍ରମାନଙ୍କରେ ଲୋକେ ବୁଷ୍ଟର ଡୋଜ୍‌ ନେବା ଆରମ୍ଭ କଲେଣି। କିନ୍ତୁ ଭାରତରେ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇନାହିଁ। ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଭାରତରେ ଏଯାବତ ବୁଷ୍ଟର ଡୋଜ୍‌ର କୌଣସି ଆବଶ୍ୟକତା ଆସିନାହିଁ। କରୋନା ବିରୋଧରେ ଦେଶବ୍ୟାପୀ ଚାଲିଥିବା ଟିକାକରଣକୁ ଗୁଲେରିଆ ପ୍ରଶଂସା କରିଛନ୍ତି। ଗୁଲେରିଆ କହିଛନ୍ତି, ଦେଶରେ ଏବେ ସଂକ୍ରମଣ ବୃଦ୍ଧି ହେଉନାହିଁ। ତେଣୁ ବୁଷ୍ଟର ଡୋଜ୍‌ର କୌଣସି ଆବଶ୍ୟକତା ନାହିଁ। ଗୁଲେରିଆ ଆଜି ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହି ସୂଚନା ଦେଇଛନ୍ତି। ଗୁଲେରିଆ କହିଛନ୍ତି, ଯେତେବେଳେ ଏଚୱାନ୍‌ଏନ୍‌ୱାନ୍‌ ଭାରତରେ ପହଞ୍ଚିଲା ସେ ସମୟରେ ଦେଶ ଟିକା ଆମଦାନି କରୁଥିଲା। କିନ୍ତୁ ପରେ ଦେଶ ନିଜେ ଟିକା ପ୍ରସ୍ତୁତ କଲା ଏବଂ ଏବେ ଅନ୍ୟ ରାଷ୍ଟ୍ରକୁ ଟିକା ରପ୍ତାନି କରୁଛି। ଉକ୍ତ କାର୍ଯ୍ୟକ୍ରମରେ ନିତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି, ଆବଶ୍ୟକ ହେଲେ ସରକାର ବୈଜ୍ଞାନିକଙ୍କ ପରାମର୍ଶ ଆଧାରରେ ବୁଷ୍ଟର ଡୋଜ୍‌ ଦେବା କଥା ଚିନ୍ତା କରିବେ।

ଦେଶରେ ଆରୋଗ୍ୟ ହାର ୯୮.୩୩%
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨,୨୮୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୪୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୧,୧୧,୪୮୧ ରହିଥିବା ବେଳେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୩୨ ପ୍ରତିଶତ। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୧୦,୯୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୩୯,୫୭,୬୯୮ ଏବଂ ଆରୋଗ୍ୟ ହାର ୯୮.୩୩ ପ୍ରତିଶତ। ଦୈନିକ ପଜିଟିଭ୍‌ ହାର ୦.୮୦ ପ୍ରତିଶତ ଥିବାବେଳେ ଲଗାତାର ୫୧ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୦.୯୩ ପ୍ରତିଶତ ରହିଛି। ଲଗାତାର ୬୧ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି।

The post କୋଭାକ୍ସିନ କେବଳ ୫୦% ପ୍ରଭାବୀ, ଡେଲଟା ପ୍ରଜାତି କ୍ଷତି ପହଞ୍ଚାଇପାରେ first appeared on Sambad.

from କରୋନା | Sambad https://ift.tt/3nRjYzj