ଭିମ୍‌ସାର୍‌ରେ ୫୧ ଡାକ୍ତରୀ ଛାତ୍ରଛାତ୍ରୀ ସଂକ୍ରମିତ

ବୁର୍ଲା/ସମ୍ବଲପୁର : ବୁର୍ଲା ଭିମସାରରେ ଛାତ୍ର ସଂସଦର ବାର୍ଷିକ ଉତ୍ସବରୁ ବ୍ୟାପିଥିବା କୋଭିଡ୍ ସଂକ୍ରମଣ ଗୁରୁତର ରୂପ ନେଇଛି। ବୁଧବାର ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅର୍ଧଶତକ ପାରି କରିଛି। ବୁଧବାର ସଂଧ୍ୟା ସୁଦ୍ଧା ସମୁଦାୟ ୫୧ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଭିମସାର୍‌ ଅଧୀକ୍ଷକ ଡା. ଲାଲ୍ ମୋହନ ନାୟକ ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ୨୫ ଜଣ ଛାତ୍ରୀ ଓ ବାକି ୨୬ ଜଣ ଛାତ୍ର ଥିବା ଜଣା ପଡ଼ିଛି।

ସୋମବାର ୨୨ ଜଣ, ମଙ୍ଗଳବାର ସୁଦ୍ଧା ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ବୁଧବାର ଆଉ ୧୭ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ଗାର୍ଗୀ ଛାତ୍ରୀ ନିବାସର ସର୍ବାଧିକ ୨୩ ଜଣ ଛାତ୍ରୀ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରୁଥିବାବେଳେ ଅନ୍ୟ ମାନଙ୍କୁ ହଷ୍ଟେଲ୍‌ରୁ ବାହାରିବାକୁ ବାରଣ କରାଯାଇଛି। ଅପରପକ୍ଷରେ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସାମୂହିକ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି। ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଓ ୨୦୦ରୁ ଊର୍ଧ୍ବଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରା ସରିଛି। ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଂକା କରାଯାଉଛି। ତେବେ ଯେମିତି ଏହା ବୃଦ୍ଧି ନ ପାଇବ ସେ ଦିଗରେ ଭିମସାର୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆନନ୍ଦୀ, ଦେବଯାନୀ ,ସାବିତ୍ରୀ, ଧନ୍ବନ୍ତରୀ ଓ ଏସଆର୍‌ (ବରିଷ୍ଠ ଆବାସିକ ଡାକ୍ତର)ଙ୍କ ଛାତ୍ରବାସକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରା ଯାଇଛି। ସେହିପରି ଷ୍ଟାଫ୍‌ କ୍ୱାଟର୍ସ ସମେତ ଆଉ ୪ ହଷ୍ଟେଲକୁ ବଫର ଜୋନ୍ ଭାବେ ଘୋଷଣା କରା ହୋଇଛି।

ବୁଧବାର ସକାଳେ ଅଗ୍ନିଶମ ବିଭାଗ ତରଫରୁ ଏହି ସବୁ ଛାତ୍ରବାସ ବିଶୋଧନ କରା ଯାଇଥିଲା। ଏହି ଅଂଚଳରେ ଆଜିଠାରୁ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟପଟେ ସହରରେ ସଂକ୍ରମଣ ବଢ଼ିବା ଆଶଙ୍କାରେ ବୁଧବାରଠାରୁ ବୁର୍ଲାରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ମହାନଗର ନିଗମର ପ୍ରବର୍ତ୍ତନ ଟିମ୍ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି। ଯେଉଁମାନେ ମାସ୍କ ନ ପିନ୍ଧି ସର୍ବସାଧାରଣ ସ୍ଥାନରେ ବୁଲିବେ ଜରିମାନା ଆଦାୟ କରାଯିବ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଭିମସାର୍‌ ୟୁଜି ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଥିରେ ହଜାରେ ୟୁଜି ଛାତ୍ରଛାତ୍ରୀଙ୍କ ସମେତ ଡାକ୍ତର, କର୍ମଚାରୀ, ପିଜି ଛାତ୍ରଛାତ୍ରୀଙ୍କ ସମାଗମ ହୋଇଥିଲା। କୌଣସି ପ୍ରକାର କରୋନା କଟକଣା ପାଳନ କରାଯାଇ ନଥିଲା। ସେହିଠାରୁ ସଂକ୍ରମଣ ଆରମ୍ଭ ହୋଇ ଗତ ‌୨୨ ତାରିଖ ଦିନ ପ୍ରଥମ କରି ୨୨ ଜଣ ଚିହ୍ନଟ ହୋଇଥିଲେ।

The post ଭିମ୍‌ସାର୍‌ରେ ୫୧ ଡାକ୍ତରୀ ଛାତ୍ରଛାତ୍ରୀ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3HQuzCi

Post a Comment

0 Comments