ନୂଆଦିଲ୍ଲୀ: ବହୁ ସଂଖ୍ୟାରେ ଗୁଣସୂତ୍ର ପରିବର୍ତ୍ତନ କରିଥିବା ନୂତନ ଦକ୍ଷିଣ ଆଫ୍ରିକୀୟ କ‌ୋଭିଡ୍‌-୧୯ ଭେରିଆଣ୍ଟ୍‌ ସଂକ୍ରମଣ ମାମଲା ଏପର୍ଯ୍ୟନ୍ତ ଭାରତରେ ରିପୋର୍ଟ ହୋଇ ନ ଥିବା କଥା ସରକାରୀ ସୂତ୍ରକୁ ଆଧାର କରି ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାନ କହିଛି।

‘ବି.୧.୧.୫୨୯’ ପରିଚିତ କରୋନାଭାଇରସ୍‌ର ଆଉ ଏକ ‘ଭେରିଆଣ୍ଟ୍‌’ ଚିହ୍ନଟ କରିଥିବା କଥା ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଘୋଷଣା କରିବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ପରାମର୍ଶବଳୀ ଜାରି କରିଛନ୍ତି। ନମୁନା ପରୀକ୍ଷା ତୀବ୍ରତର କରିବା ଓ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ ବିପଜ୍ଜନକ ଦେଶରୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କୁ ପରୀକ୍ଷା କରିବା ଲାଗି ସେଥିରେ ନିର୍ଦେଶ ଦିଆଯାଇଛି।

Image Courtesy of Business Standard

ନୂତନ ଭେରିଆଣ୍ଟ୍‌ର ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ ଭୂତାଣୁ ଜନସ୍ବାସ୍ଥ୍ୟ ଉପରେ ସାଙ୍ଘାତିକ କୁପ୍ରଭାବ ପକାଉଥିବା ରିପୋର୍ଟ ଆସୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି। ଏହି ଭେରିଆଣ୍ଟ୍‌ର ପ୍ରାୟ ୩୦ ପ୍ରକାର ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଦେଖାଯାଉଥିବା କୁହାଯାଉଛି।

‌ଅପରପକ୍ଷେ, ବ୍ରିଟେନ୍‌ ୬ଟି ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ବିମାନଗୁଡ଼ିକ ଉପରେ ନିଷେଧାଜ୍ଞା ଜାରି କରିଛି। ସେହି ସବୁ ଦେଶରୁ ଚାଲି ଆସିଥିବା ବ୍ରିଟିସ୍‌ ନାଗରିକମାନଙ୍କୁ ‘କ୍ବାରେଣ୍ଟିନ୍‌’ରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହାଛଡ଼ା, କୋଭିଡ୍‌-୧୯ ନିରୋଧୀ ଟିକାର ବୈଧ୍ୟତା ଅବଧିକୁ ‘ୟୁରୋପୀୟ ସଂଘ’ ୯ ମାସରେ ସୀମିତି ରଖିବାକୁ ସୁପାରିସ କରିଛି।

ନୂତନ ଭେରିଆଣ୍ଟ୍‌ ସଂକ୍ରାନ୍ତରେ ଆଲୋଚନା କରିବାକୁ ଆଜି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଜରୁରୀ ବୈଠକ ଡକାଇଛି।

The post ଏପର୍ଯ୍ୟନ୍ତ ଭାରତରେ ଦକ୍ଷିଣ ଆଫ୍ରିକୀୟ କୋଭିଡ୍‌ ଭେରିଆଣ୍ଟ୍‌ ମାମଲା ନାହିଁ: ରିପୋର୍ଟ first appeared on Sambad.

from କରୋନା | Sambad https://ift.tt/3cPo8kH