ନୂଆଦିଲ୍ଲୀ : କୋୱିନ୍ ପ୍ଲାଟ୍‌ଫର୍ମରେ ଏକ ନୂଆ ବୈଶିଷ୍ଟ୍ୟ ଯୋଡ଼ାହୋଇଛି। ଏଣିକି ‌ଯେକୌଣସି ଘରୋଇ ବା ସରକାରୀ ଅନୁଷ୍ଠାନ କୌଣସି ବ୍ୟକ୍ତି ଟିକା ନେଇଛନ୍ତି କି ନା ତାହା ଯାଞ୍ଚ କରିପାରିବେ। ଅର୍ଥାତ୍ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ, ସିନେମା ହଲ୍, ରେସ୍ତୋରାଁ, ବିମାନବନ୍ଦର, ହେଟେଲ, ରେଳ ଷ୍ଟେସନ ଏବଂ ସମସ୍ତ ଜନସେବା ପ୍ରଦାନକାରୀ ଅନୁଷ୍ଠାନ ତାଙ୍କର କୌଣସି ଗ୍ରାହକ ବା ତାଙ୍କ ପାଖକୁ ଆସୁଥିବା ବ୍ୟକ୍ତି କୋଭିଡ୍‌-୧୯ ପାଇଁ ଆଂଶିକ ବା ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ବା ଆଦୌ ଟିକା ନେଇନାହାନ୍ତି ତାହା କୋୱିନ୍‌ରୁ ଜାଣିପାରିବେ। ବାସ୍ତବରେ ଏହି ନୂଆ ବୈଶିଷ୍ଟ୍ୟ ଯୋଗୁ ଯେକୌଣସି ନାଗରିକ ଅନ୍ୟ ଯେକୌଣସି ନାଗରିକଙ୍କ ଟିକାକରଣ ସ୍ଥିତି ବିଷୟରେ ଜାଣିପାରିବେ।

ତେବେ ଯାହାର ଟିକାକରଣ ସ୍ଥିତି ଆପଣ ଜାଣିବାକୁ ଚାହୁଁଛନ୍ତି, ତାଙ୍କର ବିନା ସମ୍ମତିରେ ଆପଣ ତାହା ଜାଣିପାରିବେ ନାହିଁ। ସେଥିପାଇଁ ଏକ ଓଟିପି ବ୍ୟବସ୍ଥା କରାଯାଇଛି। ଯେଉଁ ବ୍ୟକ୍ତିର ଷ୍ଟାଟସ୍ ଆପଣ ଜାଣିବାକୁ ଚେଷ୍ଟା କରିବେ ତାଙ୍କ ମୋବାଇଲକୁ ଏକ ଓଟିପି (ୱାନ୍ ଟାଇମ୍ ପାସ୍‌ୱାର୍ଡ) ଯିବ। ସେ ସେହି ଓଟିପି ଆପଣଙ୍କୁ ସେୟାର୍ କଲେ ହିଁ ଆପଣ ତାଙ୍କର ଟିକାକରଣ ସ୍ଥିତି ଜାଣିପାରିବେ। ଯାହାଙ୍କର ଟିକାକରଣ ସ୍ଥିତି ଆପଣ ଯାଞ୍ଚ କରିବାକୁ ଚେଷ୍ଟା କରୁଛନ୍ତି, ଏଥିପାଇଁ ତାଙ୍କର ନାମ ଓ ଫୋନ୍ ନମ୍ବର ଆପଣ ଜାଣିଥିବା ଦରକାର। ସରକାରଙ୍କ କହିବା ଅନୁସାରେ କୋୱିନ୍ ପ୍ଲାଟ୍‌ଫର୍ମରେ ଏକ ନୂତନ ବୈଶିଷ୍ଟ୍ୟ ‘ନୋ ୟୋର୍ ଭାକ୍ସିନେସନ ଷ୍ଟାଟସ୍’ ଯୋଡ଼ାଯାଇଛି। ଏଥିରେ ନିଜର ବା ଯେକୌଣସି ବ୍ୟକ୍ତିର ନାମ, ଫୋନ୍ ନମ୍ବର ଓ ଓଟିପି ଦେଇ ଆପଣ ତାଙ୍କର ଟିକାକରଣ ସ୍ଥିତି ଯାଞ୍ଚ କରିପାରିବେ। ଏହି ବୈଶିଷ୍ଟ୍ୟକୁ ଯେକୌଣସି ସରକାରୀ ବା ବେସରକାରୀ ସଂସ୍ଥା ନିଜ ଗ୍ରାହକ ବା କର୍ମଚାରୀଙ୍କ ଟିକାକରଣ ସ୍ଥିତି ଜାଣିବା ପାଇଁ ବ୍ୟବହାର କରିପାରିବେ।

The post କୋୱିନ୍‌ରେ ନୂଆ ବ୍ୟବସ୍ଥା: ଯେକୌଣସି ଲୋକର ଟିକାକରଣ ସ୍ଥିତି ଜାଣିହେବ first appeared on Sambad.

from କରୋନା | Sambad https://ift.tt/3cxGSoM