ନୂଆଦିଲ୍ଲୀ: କରୋନାର ନୂ୍ଆ ପ୍ରଜାତିକୁ ନେଇ ଭୟ ବଢ଼ିଥିବାବେଳେ ଇତି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି। ଦେଶରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ହ୍ରାସ ହୋଇଛି। ଦୀର୍ଘ ୧୮ ମାସ ପରେ ଦେଶରେ ସଂକ୍ରମଣ ୭୦ ହଜାର ତଳେ ରହିଛି। ଚଳିତ ସପ୍ତାହ (ନଭେମ୍ବର ୨୨-୨୮)ରେ ଦେଶରେ ନୂଆ ସଂକ୍ରମଣ ମାମଲା ୬୩,୭୦୦ ରହିଛି। ୨୦୨୦ ମେ’ ଶେଷ ସପ୍ତାହ ପରେ ଦେଶରେ ସାପ୍ତାହିକ ସଂକ୍ରମଣ ଏତେ କମ୍‌ ରହିଛି ଏବଂ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ତଳେ ରହୁଛି। ଦୀପା‌ବଳି ପରେ ଦେଶରେ ସଂକ୍ରମଣ ବଢ଼ିବ ବୋଲି କୁହାଯାଉଥିଲା। କିନ୍ତୁ ଲଗାତାର ୨ ସପ୍ତାହ ଧରି ଦେଶରେ ସଂକ୍ରମଣ ମାମଲାରେ ୧୦ ପ୍ରତିଶତ ହ୍ରାସ ହୋଇଥିବାରୁ ଏହି ଚିନ୍ତା ଏବେ ହଟିଯାଇଛି। ଦୀପାବଳି ପରେ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି। କିନ୍ତୁ ଏହା ଅତ୍ୟନ୍ତ ମାମୁଲି। କେରଳ ଏବେ ବି ଦେଶରେ ସର୍ବାଧିକ ସଂକ୍ରମଣ ଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି। କେରଳରେ ଚଳିତ ସପ୍ତାହରେ ସଂକ୍ରମଣ ମାମଲା ୩୨,୭୦୭ ରହିଛି। କିନ୍ତୁ କେରଳରେ ଗତ ସପ୍ତାହର ସଂକ୍ରମଣ ୩୯,୯୩୨ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମଣ ମାମଲାରେ ୧୮ ପ୍ରତିଶତ ହ୍ରାସ ହୋଇଛି।

ଅନ୍ୟପକ୍ଷେ ମହରାଷ୍ଟ୍ରରେ ଚଳିତ ସପ୍ତାହରେ ୫,୮୦୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମଣ ମାମଲାରେ ୫.୨ ପ୍ରତିଶତ ହ୍ରାସ ହୋଇଛି। ଚଳିତ ସପ୍ତାହରେ କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ସଂକ୍ରମଣ ବଢ଼ିଛି। କର୍ଣ୍ଣାଟକରେ ଗତ ସପ୍ତାହରେ ୧୭୪୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଚଳିତ ସପ୍ତାହରେ ୨, ୦୦୧ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ଓଡ଼ିଶାରେ ଗତ ସପ୍ତାହରେ ୧୫୩୨ ମାମଲା ଚିହ୍ନଟ ହୋଇଥିବାବେଳେ ଚଳିତ ସପ୍ତାହରେ ୧୬୮୦ ମାମଲା ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶରେ ଗତ ସପ୍ତାହରେ ୧୨୬୬ ମାମଲା ଚିହ୍ନଟ ହୋଇଥିବାବେଳେ ଚଳିତ ସପ୍ତାହରେ ୧୩୮୦ ମାମଲା ଚିହ୍ନଟ ହୋଇଛି ଏବଂ ତେଲେଙ୍ଗାନାରେ ଗତ ସପ୍ତାହରେ ୯୮୧ ମାମଲା ଚିହ୍ନଟ ହୋଇଥିବାବେଳେ ଚଳିତ ସପ୍ତାହରେ ୧୦୫୯ ମାମଲା ଚିହ୍ନଟ ହୋଇଛି। ୧୦୦୦ରୁ କମ୍‌ ସାପ୍ତାହିକ ସଂକ୍ରମଣ ଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଉଛି ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ପଂଜାବ, ଗୋଆ, ଲଦାଖ ଏବଂ ଚଣ୍ଡିଗଡ଼। ଅନ୍ୟପକ୍ଷେ ଗତ ସପ୍ତାହରେ ଦେଶରେ କରୋନା ମୃତ୍ୟୁ ୨୨୫୭ ଥିବାବେଳେ ଚଳିତ ସପ୍ତାହରେ କରୋନା ମୃତ୍ୟୁ ୨୮୮୭ ରହିଛି।

The post ସାପ୍ତାହିକ ସଂକ୍ରମଣରେ ୧୧% ହ୍ରାସ: ୧୮ ମାସ ପରେ ସଂକ୍ରମଣ ୭୦ ହଜାର ତଳେ first appeared on Sambad.

from କରୋନା | Sambad https://ift.tt/3lfn4LJ