
ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ କୌଣସି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ ବୋଲି ସୋମବାର ଭାରତ ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଏହି ପ୍ରଜାତିର ସମ୍ଭାବ୍ୟ ବିପଦକୁ ନେଇ ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସରକାର କିଛି ନିୟମ-କଟକଣା ଲାଗୁ କରିଛନ୍ତି। ଡିସେମ୍ବର ପହିଲାରୁ ଏହା କାର୍ଯ୍ୟକାରୀ ହେବ।
ଯେଉଁ ଯାତ୍ରୀମାନେ ଅଧିକ ବିପଦପୂର୍ଣ୍ଣ ବା ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମଣଶୀଳ ଦେଶରୁ ଆସିଥିବେ, ଭାରତରେ ପହଞ୍ଚିଲା ପରେ ବିମାନବନ୍ଦରରେ ସେମାନଙ୍କର କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକ ବିପଦପୂର୍ଣ୍ଣ ଦେଶଗୁଡ଼ିକ ଭିତରେ ଅଛନ୍ତି ୟୁରୋପ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍ତୱାନା, ଚୀନ୍, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ।
ଭାରତରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ଉଡ଼ାଣ ପୁଣି କେବେଠାରୁ ଆରମ୍ଭ ହେବ, ବିଶ୍ବ ଦୃଶ୍ୟପଟକୁ ଦେଖି ତା’ ଉପରେ ମଧ୍ୟ ସରକାର ପୁନଃସମୀକ୍ଷା କରିବେ। ଶୁକ୍ରବାର ବିମାନ ଚଳାଚଳ ମନ୍ତ୍ରଣାଳୟ ଆସନ୍ତା ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା। ନୂତନ ଭାରିଆଣ୍ଟ ଓମିକ୍ରନ୍ର ଆତ୍ମପ୍ରକାଶ ପରେ ସରକାର ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରିଛନ୍ତି। ବାହାରୁ ଆସୁଥିବା ଯାତ୍ରୀମାନେ ଗତ ୧୪ ଦିନ ଭିତରେ କୁଆଡ଼େ ଗସ୍ତ କରିଥିଲେ କି ନାହିଁ ତା’ର ବିବରଣୀ ଦେବା ସହ ଏୟାର ସୁବିଧା ପୋର୍ଟାଲରେ ନିଜର ନେଗେଟିଭ୍ ଆର୍ଟି-ପିସିଆର୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ବିପଦପୂର୍ଣ୍ଣ ଦେଶରୁ ଆସିଥିବା ଯାତ୍ରୀମାନେ ପୋର୍ଟାଲରେ ଏତକ ରିପୋର୍ଟ ଦେଲେ ବି ପହଞ୍ଚିବା ପରେ ବିମାନବନ୍ଦରରେ ପୁଣିଥରେ ପରୀକ୍ଷାର ସମ୍ମୁଖୀନ ହେବେ। ଟେଷ୍ଟ ନେଗେଟିଭ୍ ଆସିଲେ ପରବର୍ତ୍ତୀ ୭ ଦିନ ତାଙ୍କୁ ଗୃହସଂଗରୋଧରେ ରହିବାକୁ ହେବ। ୮ମ ଦିନ ପୁଣିଥରେ ପରୀକ୍ଷା ହେବ। ଯଦି ନେଗେଟିଭ୍ ଆସେ ତେବେ ପରବର୍ତ୍ତୀ ୭ ଦିନ ତାଙ୍କୁ ଆତ୍ମସମୀକ୍ଷା (ନିଜକୁ ନିଜେ ତନଖି କରିବା) ଭିତରେ ରହିବାକୁ ହେବ। ପରୀକ୍ଷାର ସବୁ ଖର୍ଚ୍ଚ ମନ୍ତ୍ରଣାଳୟ ବହନ କରିବ। ଯଦି କେହି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ତାଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ। ପାଞ୍ଚବର୍ଷରୁ କମ୍ ପିଲାମାନଙ୍କୁ ଏହିସବୁ ପରୀକ୍ଷାରୁ ବାଦ୍ ଦିଆଯାଇଛି।
The post ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦେଖି ଭାରତର ନୂଆ ଟ୍ରାଭେଲ ଗାଇଡ୍ଲାଇନ୍ first appeared on Sambad.from କରୋନା | Sambad https://ift.tt/3pahj2T
0 Comments