
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଚିନ୍ତା ବଢ଼ାଇଲାଣି। ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର୍ କରିଛି। ପାର୍ବଣ ସମୟରେ ଲୋକମାନେ କୋଭିଡ ଗାଇଡଲାଇନ୍ର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ବିଶେଷଜ୍ଞମାନଙ୍କ ବାରମ୍ବାର ନିବେଦନକୁ ମଧ୍ୟ ଲୋକମାନେ ଖାତିର କରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ରାଜ୍ୟରେ ତୃତୀୟ ଲହର ଆଶଙ୍କାକୁ ବଢ଼ାଇ ଦେଲାଣି।
ଡିଏମ୍ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ପାର୍ବଣ ଯୋଗୁଁ ଖୋର୍ଧା ଓ କଟକ ଜିଲ୍ଲାକୁ ଅନ୍ୟ ସ୍ଥାନରୁ ଲୋକମାନେ ଆସୁଛନ୍ତି। ଫଳରେ ଦୁଇ ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଉପର ତଳ ହେଉଛି। ଯାହାକି ଚିନ୍ତାଜନକ। ସଂକ୍ରମଣ ହାର ବା ଟିପିଆର ଓ ଚିକିତ୍ସାଧୀନ ରୋଗୀଙ୍କୁ ଦେଖି କୌଣସି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଉଛି। ପାର୍ବଣ ସମୟରେ ଲୋକମାନଙ୍କୁ ସଚେତନ ରହିବାକୁ ପଡ଼ିବ। ସଚେତନ ରହିଲେ ହିଁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚଳିତମାସର ଏହା ଦ୍ବିତୀୟ ସର୍ବାଧିକ ସଂକ୍ରମଣ। ରାଜ୍ୟରେ ସଂକ୍ରମଣ ହାର ୦.୯୮ ପ୍ରତିଶତ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୩୨୩, କଟକ ୭୨, ମୟୂରଭଞ୍ଜ ୨୮, ସମ୍ବଲପୁର ୧୯, ପୁରୀ ୧୫, ବାଲେଶ୍ବର ୧୨ ଓ ଷ୍ଟେଟ୍ ପୁଲରୁ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ଆଶ୍ବସ୍ତିର ବିଷୟ ହେଉଛି ୮ ଜିଲ୍ଲାରୁ ଜଣେ ହେଲେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୩ହଜାର ୨୮୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା, କଟକରୁ ୨ଜଣ ଲେଖାଏ, ସୁନ୍ଦରଗଡ଼, ଯାଜପୁର, ଜଗତସିଂହପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୬୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସଂକ୍ରମିତଙ୍କ ତୁଳନାରେ ଆଜି ରାଜ୍ୟରେ କମ୍ ସଂଖ୍ୟା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ୪୦୪ କରୋନା ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭୯୯ରେ ପହଞ୍ଚିଛି। ଏହାସହ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୨୦ହଜାର ୧୬୮ରେ ପହଞ୍ଚିଛି।
The post ପାର୍ବଣରେ କରୋନା ଚିନ୍ତା: ପୁଣି ବଢ଼ିଲା ଦୈନିକ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/2YQ8MZX
0 Comments