
ନୂଆଦିଲ୍ଲୀ: ସମୁଦ୍ର ପଥରେ ହେଉ ବା ଜଙ୍ଗଲ ପଥରେ, ଆମେ ଟିକା ଯୋଗାଣ କରିଚାଲିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତର କୋଭିଡ୍-୧୯ ବିରୋଧୀ ଲଢ଼େଇକୁ ପ୍ରଶଂସା କରି କହିଛନ୍ତି। ପ୍ରଧାମନ୍ତ୍ରୀ କହିଛନ୍ତି ଯେ, କୋୱିନ୍ ପ୍ଲାଟଫର୍ମ ତିଆରି କରି ଭାରତ ବିଶ୍ବକୁ ଦେଖାଇଦେଇଛି କେମିତି ଏତେ ବ୍ୟାପକ ସଂଖ୍ୟାରେ ଏକ ବିଶାଳ ଦେଶର ଲୋକଙ୍କୁ ଟିକା ଦିଆଯାଇପାରେ। କୋୱିନ୍ ଟିକାକରଣ କ୍ଷେତ୍ରରେ ସମଗ୍ର ବିଶ୍ବକୁ ମାର୍ଗ ଦେଖାଇଥିବା ବେଳେ ଭାରତ ଏହି ପ୍ଲାଟ୍ଫର୍ମରେ ୯୩ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରିସାରିଛି। ପିଏମ୍ କେୟାର୍ସ ପାଣ୍ଠିରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରେସର ସ୍ବିଙ୍ଗ ଆଡ୍ଜର୍ପସନ (ପିଏସ୍ଏ) ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠିତ ହେଉଥିବା ବେଳେ ଉତ୍ତରାଖଣ୍ଡର ଋଷିକେଶରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏହି ପ୍ଲାଣ୍ଟ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ଏହି ଅବସରରେ ଦେଶର ସବୁ ଜିଲ୍ଲାରେ ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶ ସାରା ୧,୨୨୪ଟି ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ପିଏମ୍ କେୟାର୍ସ ପାଣ୍ଠିରୁ ଅର୍ଥ ଯୋଗାଇଦିଆଯାଇଛି ଏବଂ ୧,୧୦୦ଟି ପ୍ଲାଣ୍ଟ ପ୍ରତିଷ୍ଠା ହୋଇସାରିଲାଣି। ସେଗୁଡ଼ିକରୁ ଦୈନିକ ୧,୭୫୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଉତ୍ପାଦନ ହୋଇପାରୁଛି ବୋଲି ସେ କହିଥିଲେ।
ଉକ୍ତ ଉଦ୍ଘାଟନୀ ଉତ୍ସବରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭୀୟ ମଧ୍ୟ ଉପସ୍ଥିତ ଥିଲେ ଏବଂ ସାରା ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ମୋଦୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାଠାରୁ ସାମ୍ବିଧାନିକ ପଦପଦବିରେ ରହିବାର ବିଂଶତି ବର୍ଷ ପୂର୍ତ୍ତି ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡ ଆସିଥିବାରୁ ଧାମି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମୋଦୀ ହେଉଛନ୍ତି ବର୍ତ୍ତମାନ ବିଶ୍ବର ଶୀର୍ଷତମ ନେତା। ଋଷିକେଶ ପରି ଦେବଭୂମିରେ ତାଙ୍କ ପାଦ ପଡ଼ିବା ଉତ୍ତରାଖଣ୍ଡ ପାଇଁ ସୌଭାଗ୍ୟର ବିଷୟ।
The post ଭାରତର କୋଭିଡ୍ ଲଢ଼େଇକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କୋୱିନ୍ ପ୍ଲାଟଫର୍ମ ସମଗ୍ର ବିଶ୍ବକୁ ମାର୍ଗ ଦେଖାଇଛି first appeared on Sambad.from କରୋନା | Sambad https://ift.tt/3iFgYmk
0 Comments