
ନୂଆଦିଲ୍ଲୀ: ଯଦି ଏଯାବତ୍ କରୋନା ଟିକା ନେଇନାହାନ୍ତି, ତେବେ ସାବଧାନ। କାରଣ, ଯଦି ଟିକାକରଣ ହୋଇ ନଥିବ, ତେବେ ଆସନ୍ତା ଅକ୍ଟୋବର ୧୬ରୁ ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଅଫିସରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଶୁକ୍ରବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଅକ୍ଟୋବର ୧୫ ସୁଦ୍ଧା ଅନ୍ତତଃ.ପକ୍ଷେ କୋଭିଡ୍-୧୯ର ଗୋଟିଏ ଡୋଜ୍ ଟିକା ନେବାକୁ ନିର୍ଦ୍ଦେଶ ଦେଇଛି।
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଆଜି (ଶୁକ୍ରବାର) ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅନ୍ତତଃପକ୍ଷେ ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ସହିତ ଅକ୍ଟୋବର ୧୫ ସୁଦ୍ଧା ନିଜ ନିଜର ଟିକାକରଣ କରିବା ବାଧ୍ୟତାମୂଳକ। ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଅକ୍ଟୋବର ୧୫ ସୁଦ୍ଧା ଏହି ନିର୍ଦ୍ଦେଶର ପାଳନ କରିବାକୁ ପଡ଼ିବ। ଯେଉଁମାନେ ଏହି ନିର୍ଦ୍ଦେଶନାମାର ପାଳନ କରି ନଥିବେ ସେମାନଙ୍କୁ ଅକ୍ଟୋବର ୧୬ ତାରିଖ ଠାରୁ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଟିକାକରଣର ଯାଞ୍ଚ ସଂପୃକ୍ତ କାର୍ଯ୍ୟାଳୟ ଦ୍ୱାରା ଆରୋଗ୍ୟ ସେତୁ ଆପ୍ କିମ୍ବା ସମ୍ପୃକ୍ତ କର୍ମଚାରୀଙ୍କ ଟିକାକରଣର ପ୍ରମାଣପତ୍ର ମାଧ୍ୟମରେ କରାଯିବ। ଉଲ୍ଲେଖଯୋଗ୍ୟ, ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏପର୍ଯ୍ୟନ୍ତ ୧.୮୭ କୋଟି ଲୋକ କୋଭିଡ୍-୧୯ ଟିକା ନେଇ ସାରିଛନ୍ତି।
The post ସାବଧାନ! ଟିକା ନେଇ ନଥିଲେ ଅଫିସ୍ ମନା first appeared on Sambad.from କରୋନା | Sambad https://ift.tt/3AmVD7l
0 Comments