
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକାକରଣ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ କେରଳ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି। ହାଇକୋର୍ଟ ଏହା ଉପରେ ଉତ୍ତର ରଖିବା ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କୋଟାୟାମ୍ ବାସିନ୍ଦା ଆବେଦକ ଏମ୍ ପିଟର ଯୁକ୍ତି ବାଢ଼ିଛନ୍ତି ଯେ, ବର୍ତ୍ତମାନର ଟିକା ପ୍ରମାଣପତ୍ର ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଥାଇ ଟିକା ପ୍ରମାଣପତ୍ର ଦିଆଯିବାକୁ ସେ ଦାବି କରିଛନ୍ତି। ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ନିଜ ନିଜର ମତାମତ ଦୁଇ ସପ୍ତାହ ଭିତରେ ଜଣାଇବା ପାଇଁ ଜଷ୍ଟିସ୍ ପିବି ସୁରେଶ ନିର୍ଦ୍ଦେଶ ଦେଇଛନ୍ତି। ଆବେଦକ ମଧ୍ୟ ବିଭିନ୍ନ ଦେଶର ଟିକା ସାର୍ଟିଫିକେଟ ଏଥି ସହ ଉପସ୍ଥାପିତ କରିଛନ୍ତି। ସେ କହିଛନ୍ତି ଆମେରିକା, ଇନ୍ଦୋନେସିଆ, ଇସ୍ରାଏଲ ଓ ଜର୍ମାନୀ ପ୍ରଭୃତି ଦେଶ ମଧ୍ୟ ନିଜ ନିଜର ଟିକା ସାର୍ଟିଫିକେଟ୍ରେ ଆବଶ୍ୟକ ସବୁ ତଥ୍ୟ ଦେଇଛନ୍ତି, କିନ୍ତୁ ଶାସନମୁଖ୍ୟଙ୍କ ଫଟୋ ଦେଇନାହାନ୍ତି। ଆବେଦକ ବିଭିନ୍ନ ସ୍ଥାନକୁ ବାରମ୍ବାର ଯାତ୍ରା କରୁଥିବା ବେଳେ ସାଙ୍ଗରେ ଟିକା ସାର୍ଟିଫିକେଟ ନେଇଥାନ୍ତି। କିନ୍ତୁ ଏହି ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋର କୌଣସି ଆବଶ୍ୟକତା, ଉପଯୋଗିତା ବା ପ୍ରାସଙ୍ଗିକତା ନ ଥିବା ସେ କହିଛନ୍ତି।
ତାଙ୍କ ଓକିଲ ଅଜିତ ଜୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଥାଇ ସାର୍ଟିଫିକେଟ ପାଇବାର ସବୁ ଅଧିକାର ତାଙ୍କ ମହକିଲଙ୍କର ଅଛି। ଅନ୍ତତଃ ଫଟୋ ରଖିବା ବା ନ ରଖିବା ନେଇ ଗୋଟାଏ ଅପ୍ସନ (ବିକଳ୍ପ) ଲୋକମାନଙ୍କୁ ଦିଆଯାଉ। ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। କହିଥିଲେ ଯେ, ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବାର୍ତ୍ତା ବି ରହୁଛି, ଯାହା ମହାମାରୀ ବିରୋଧରେ ଲଢ଼ିବା ପାଇଁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଉଚ୍ଚ ସଦନରେ ଦୁଇମାସ ତଳେ ଯେତେବେଳେ ପ୍ରଶ୍ନ ଉଠିଥିଲା ସେତେବେଳେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ବିପି ପାୱାର କହିଥିଲେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସହ ତାଙ୍କର ଫଟୋ ରହିଲେ ତାହା ବାର୍ତ୍ତାକୁ ଆହୁରି ବଳିଷ୍ଠ କରିଥାଏ। ଟିକାକରଣ ପରେ ବି କୋଭିଡ୍ ନିୟମ ମାନିବା ପାଇଁ ଏହା ଲୋକମାନଙ୍କୁ ଅନୁପ୍ରେରିତ କରିଥାଏ। ଏହା ବୃହତ୍ତର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଇଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଗ୍ରହଣ କରି ନ ଥିଲେ।
The post ଟିକା ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ କେନ୍ଦ୍ରକୁ କେରଳ ହାଇକୋର୍ଟଙ୍କ ନୋଟିସ୍ first appeared on Sambad.from କରୋନା | Sambad https://ift.tt/3DsOTXo
0 Comments