
ଗଞ୍ଜାମ ଓ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ପଞ୍ଜୀକରଣରେ ଅସ୍ବାଭାବିକ ବୃଦ୍ଧି
୨୦୧୯ ତୁଳନାରେ ଗଞ୍ଜାମରେ ୧୧%, ଖୋର୍ଦ୍ଧାରେ ୧୬% ଅଧିକ
ଭୁବନେଶ୍ବର : କରୋନା କାଳରେ ରାଜ୍ୟରେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟାରେ ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିଛି। ଏହି ଦୁଇ ଜିଲ୍ଲାରେ ଜୁନ୍ ମାସ ପରେ ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଉଦ୍ବେଗଜନକ ଭାବେ ବଢ଼ିଛି। କେବଳ ସେତିକି ନୁହେଁ, ରାଜ୍ୟରେ ୨୦୧୯ ମସିହା ତୁଳନାରେ ୨୦୨୦ରେ ୨୦,୦୩୫ ଅଧିକ ମୃତ୍ୟୁ ପଞ୍ଜୀକରଣ କରାଯାଇଛି। ରାଜ୍ୟ ସରକାର ଗତବର୍ଷ କୋଭିଡ୍ରେ ସମୁଦାୟ ୧୮୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିବାବେଳେ ସେହିବର୍ଷ ହଠାତ୍ ଏତେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ କାହିଁକି ହେଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ ୨୦୧୯ ମସିହାରେ ରାଜ୍ୟରେ ସମୁଦାୟ ୩ଲକ୍ଷ ୪୨ହଜାର ୯୪୭ଜଣଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଥିଲା। ୨୦୨୦ରେ ଏହା ବୃଦ୍ଧି ପାଇ ୩ଲକ୍ଷ ୬୨ହଜାର ୯୮୨ରେ ପହଞ୍ଚିଛି। ଅର୍ଥାତ୍ ୨୦୧୯ ମସିହା ତୁଳନାରେ ଅଧିକ ୨୦,୦୩୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଲକ୍ଷ ୧୧ହଜାର ୧୭୦ ପୁରୁଷ, ୧ଲକ୍ଷ ୫୧ହଜାର ୮୧୨ ମହିଳା ରହିଛନ୍ତି।
ଗତବର୍ଷ ରାଜ୍ୟରେ ମାର୍ଚ ମାସରେ କରୋନା ମହାମାରୀ ଆରମ୍ଭ ହୋଇଥିଲା। ଖୋର୍ଧା ଜିଲ୍ଲାରେ ପ୍ରଥମେ ସଂକ୍ରମଣ ଆରମ୍ଭ ହୋଇଥିଲେ ହେଁ, ପ୍ରବାସୀ ଶ୍ରମିକ ଫେରିବା ପରେ ମେ’ ମାସ ପରଠୁ ଗଞ୍ଜାମରେ ସଂକ୍ରମଣ ହୁହୁ ହୋଇ ମାଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଗଞ୍ଜାମ ଜିଲ୍ଲାକୁ ଦେଶର ବଡ଼ ସହରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ସହିତ ତୁଳନା କରାଯାଇଥିଲା। ତେବେ ଗଞ୍ଜାମ ଜିଲ୍ଲାରେ ସରକାରୀ ଭାବେ ଉଭୟ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ସମୁଦାୟ ୪୭୧ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ହେଲେ ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ମୋଟ ମୃତ୍ୟୁକୁ ଅନୁଶୀଳନ କଲେ କୋଭିଡରେ ଘୋଷଣା ହୋଇଥିବା ସଂଖ୍ୟା ଯଥେଷ୍ଟ କମ୍। ୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାରେ ୨୯,୬୨୪ ମୃତ୍ୟୁର ପଞ୍ଜୀକରଣ କରାଯାଇଥିଲା। ହେଲେ ୨୦୨୦ ମସିହାରେ ଏଥିରେ ୧୧ ପ୍ରତିଶତ ବୃଦ୍ଧି ଘଟି ୩୨,୯୬୦ ମୃତ୍ୟୁର ପଞ୍ଜୀକରଣ ହୋଇଛି। ଅର୍ଥାତ୍ ପୂର୍ବବର୍ଷ ତୁଳନାରେ ୧୨,୧୬୩ ଜଣଙ୍କ ଅଧିକ ମୃତ୍ୟୁ ହୋଇଛି। ସେହିପରି ଖୋର୍ଧା ଜିଲ୍ଲାରେ ୨୦୧୯ ମସିହାରେ ୧୮,୯୯୧ ମୃତ୍ୟୁର ପଞ୍ଜୀକରଣ ହୋଇଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୨୧,୫୭୮ରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଅତିରିକ୍ତ ୧୬ ପ୍ରତିଶତ ଅଧିକ ମୃତ୍ୟୁର ପଞ୍ଜୀକରଣ ହୋଇଛି। ବାଲେଶ୍ବରରେ ୨୦୧୯ରେ ୧୧,୩୭୪ ମୃତ୍ୟୁ ପଞ୍ଜୀକରଣ ହୋଇଥିବା ବେଳେ ୨୦୨୦ରେ ୧୬,୬୪୫ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବଡ଼ ଧରଣର ପରିବର୍ତନ ହୋଇଛି। ୨୦୧୯ରେ ଜିଲ୍ଲାରେ ୧୩,୪୭୮ ମୃତ୍ୟୁ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୧୫,୩୩୧ ମୃତ୍ୟୁ ପଞ୍ଜୀକୃତ ହୋଇଛି।
ଗତବର୍ଷ ରାଜ୍ୟ ତଥା ଦେଶବ୍ୟାପୀ ଲକ୍ଡାଉନ୍ ପାଇଁ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିଲା। କେବଳ ଦୁର୍ଘଟଣା ନୁହେଁ; ମ୍ୟାଲେରିଆ, ଟାଇଫଏଡ୍, ଡାଇରିଆ, ଶ୍ବାସଜନିତ ରୋଗରେ ହୋଇଥିବା ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ଏହା ସତ୍ତ୍ବେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ହଠାତ୍ ଏତେ ବୃଦ୍ଧି ହେବା ପଛର କାରଣ କ’ଣ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତବର୍ଷ ରାଜ୍ୟ ସରକାର ହସ୍ପିଟାଲକୁ ରିସିଭ୍ଡ ଡେଡ୍ ବା ପହଞ୍ଚିବା ପୂର୍ବରୁ ହେଉଥିବା ମୃତ୍ୟୁର କୋଭିଡ ପରୀକ୍ଷା କରିବାକୁ ମନା କରିଥିଲେ। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ହସ୍ପିଟାଲରେ ଏଭଳି ଲୋକଙ୍କ ପରୀକ୍ଷା ସମୟରେ ସେମାନେ କୋଭିଡରେ ସଂକ୍ରମିତ ହୋଇଥିବା ନଜରକୁ ଆସିଥିଲା। ମାତ୍ର ରାଜ୍ୟ ସରକାର ସେଭଳି ମୃତକଙ୍କ କୋଭିଡ୍ ପରୀକ୍ଷା ବାରଣ କରିବା ପରେ ହସ୍ପିଟାଲରେ ତାହା ବନ୍ଦ ହୋଇ ଯାଇଥିଲା। ତେଣୁ ଏସବୁ ଲୋକ ପ୍ରକୃତରେ କୋଭିଡ କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଲେ ତାହା ଜାଣିବା ମୁସ୍କିଲ ହୋଇ ପଡ଼ିଥିଲା। ତେଣୁ ସେ ସମୟରେ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁର ଠିକ୍ ଭାବେ ରିପୋର୍ଟିଂ ହେଉ ନ ଥିବା ବିଶେଷଜ୍ଞମାନେ ମତ ରଖିଥିଲେ।
ଏହି ପ୍ରସଙ୍ଗରେ ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଗତବର୍ଷ ଅନେକ ଲୋକ କୋଭିଡ, କୋଭିଡ ପରବର୍ତୀ ଜଟିଳତା ଓ କୋ-ମର୍ବିଡରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ବରରେ ମଧ୍ୟ ଏହାର ଅନେକ ଉଦାହରଣ ରହିଛି। ରାଜ୍ୟ ସରକାର ମଧ୍ୟ ଅଦର୍ ଦ୍ୟାନ୍ କୋଭିଡ୍ ବା ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ସଂଖ୍ୟା ଘୋଷଣା କରିଥିଲେ। ରାଜ୍ୟରେ ଠିକ୍ ଭାବେ କୋଭିଡ ମୃତ୍ୟୁର ରିପୋର୍ଟିଂ କରାଯାଇ ନାହିଁ। ତେଣୁ ପଞ୍ଜୀକୃତ ମୃତ୍ୟୁ ତାଲିକାରେ ବୃଦ୍ଧି ହେବା ସ୍ବାଭାବିକ ବୋଲି ଡା.ମହାପାତ୍ର କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିଛନ୍ତି, ୨୦୨୦ ମସିହା ଶେଷ ମୃତ୍ୟୁ ତାଲିକା ମାର୍ଚ ୩୧ତାରିଖ ସୁଦ୍ଧା ଶେଷ ହେବାକୁ ଥିବା ବେଳେ କିଛି ଜିଲ୍ଲାର ତାଲିକା ଆସିବାରେ ବିଳମ୍ବ ହୋଇଥିଲା। କିଛିଦିନ ପୂର୍ବରୁ ଜିଲ୍ଲମାନେ ଏହି ତାଲିକା ଦେଇଛନ୍ତି। ଗତବର୍ଷ ଯେତିକି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି ଏସବୁ ପଞ୍ଜୀକୃତ ମୃତ୍ୟୁ। ଏଥିରେ କିଛି ପୁରୁଣା ବର୍ଷର ମୃତ୍ୟୁ ମଧ୍ୟ ଥାଇପାରେ। ହେଲେ ୨୦୧୯ ମସିହା ତୁଳନାରେ ୨୦୨୦ରେ ପଞ୍ଜୀକୃତ ମୃତ୍ୟୁ ଭିତରେ ଏତେ ବ୍ୟବଧାନ କାହିଁକି ବୋଲି ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣକ କିଛି କହି ନ ଥିଲେ।
The post ୨୦୨୦ କୋଭିଡ୍ ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ first appeared on Sambad.from କରୋନା | Sambad https://ift.tt/3BDAFSM
0 Comments